
କଟକ ( କ ବ୍ୟୁ ) ତା ୩୦/୫ : ଆଜି ଓଡିଶା ହାଇକୋର୍ଟ ବାର ଆସୋସିଏସନ ହଲରେ ଓଡିଶା ହାଇକୋର୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଧାଚରଣ ପଟନାୟକଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଛି I ଜଷ୍ଟିସ ରାଧାଚରଣ ପଟନାୟକ ସ୍ମୃତି କମିଟିର ଆବାହକ ଶଶିଭୂଷଣ ଦାସ ଓ ଯୁଗ୍ମ ଆବାହକ ଭବାନୀ ଶଙ୍କର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶ୍ରୀଯୁକ୍ତ କୃଷ୍ଣ ରାମ ମହାପାତ୍ର ନିଜ ବକ୍ତବ୍ୟରେ ଓଡିଶା ହାଇକୋର୍ଟ ଓ ବାର ଆସୋସିଏସନପାଇଁ ଜଷ୍ଟିସ ପଟନାୟକଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ I ଗରିବ ଲୋକଙ୍କପାଇଁ ଲିଗାଲ ଏଡ଼ ଜରିଆରେ ଓ ବ୍ୟକ୍ତିଗତଭାବେ ଜଷ୍ଟିସ ରାଧାଚରଣ ପଟନାୟକଙ୍କ ଦରଦ ଉପରେ ଆଲୋକପାତ କରିବା ସହିତ ନିଜର ବହୁ ଅନୁଭୂତି କହିଥିଲେ ।
ସମ୍ମାନୀୟ ଅତିଥି ତଥା ମୁଖ୍ୟ ବକ୍ତାଭାବେ ମାନ୍ୟବର ନ୍ୟାୟମୁର୍ତ୍ତୀ ଶ୍ରୀଯୁକ୍ତ ମୃଗାଙ୍କ ଶେଖର ସାହୁ ଓ ମାନ୍ୟବର ନ୍ୟାୟମୁର୍ତ୍ତୀ ଶ୍ରୀଯୁକ୍ତ ମୁରାହରି ଶ୍ରୀ ରମଣ ନ୍ୟାୟ ବ୍ୟବସ୍ଥାକୁ ଜଷ୍ଟିସ ରାଧାଚରଣ ପଟନାୟକଙ୍କ ଅବଦାନ କଥା ସ୍ମରଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସ୍ମୃତି ଫଳକପାଖରେ ପ୍ରଦୀପ ପ୍ରଜ୍ଯୋଳନ କରଯାଇଥିଲା I ପ୍ରାରମ୍ଭରେ ଓକିଲାତିବେଳୁ, ଓଡିଶା ହାଇକୋର୍ଟ ବାର ସମ୍ପାଦକ, ହାଇକୋର୍ଟ ବିଚାରପତିଭାବେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ ଓ ଆଇନ ସେବା ଓ ସାହାଯ୍ୟପାଇଁ, ବନ୍ୟା ପ୍ରପୀଡିତଙ୍କୁ ଓ କଳାହାଣ୍ଡିର ଅନାହାର ମୃତ୍ୟୁବେଳେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆବାହକ ତଥା ସଂଯୋଜକ ଶଶିଭୂଷଣ ଦାସ ବର୍ଣନା କରିବା ସହିତ, କିପରି ସୁପ୍ରିମକୋର୍ଟର ବିଚାରପତିଭାବେ ୨୦୦୦ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଥିବାବେଳେ ୧୯୯୨ ମସିହା ମଇ ମାସ ୩୦ ତାରିଖରେ ଭୁବନେଶ୍ବରରୁ ନିଜେ କାର ଚଳାଇ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିବାବେଳେ କିପରି ବଡମେଡିକଲ ଲୋକାରଣ୍ୟ ହୋଇଯାଇଥିଲା, ତାହାର ଅବତାରଣା କରିଥିଲେ I
ହାଇକୋର୍ଟ ବାର ସଭାପତି ଲଲାଟେନ୍ଦୁ ସାମନ୍ତରାୟ, ଉପ-ସଭାପତି ପ୍ରଦୀପ କୁମାର ମହାପାତ୍ର ବକ୍ତବ୍ୟ ରଖିବାପରେ, ସମ୍ପାଦକ ହୃଦାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଇନଜୀବି ଜୀବନବଲ୍ଲଭ ଦାଶ, ଡକ୍ଟର ସୁଜାତା ଦାଶ, ଲାଇବ୍ରେରୀ ସମ୍ପାଦକ ବାସୁଦେବ ବାରିକ, କେଦାର ଷଡଙ୍ଗୀ, ଚନ୍ଦନା ଦାଶ, ସୁଧାମୟୀ ଦାଶ, ହେମନ୍ତ ମହାପାତ୍ର, ରବିନ୍ଦ୍ର ପ୍ରଧାନ, ଲକ୍ଷ୍ମୀଚରଣ ବେହେରା, କପିଳ ନାୟକ, ଯୁବ ଆଇନଜୀବି ଡକ୍ଟର ବିପ୍ଲବ ଶିଳାଦିତ୍ୟ, ଜଷ୍ଟିସ ପଟନାୟକଙ୍କ ଭାଣିଜୀ ଆଡଭୋକେଟ ସୋନାଲୀ ମହାନ୍ତିଙ୍କ ସମେତ ଶତାଧିକ ଆଇନଜୀବୀ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ I