
କଟକ,( କ ବ୍ୟୁ ) ତା ୩୦.୦୫.୨୦୨୬ : ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଏବଂ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍ଏଲ୍ଆର୍) ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ବର୍ତ୍ତମାନ ସେକ୍ଟର-୬, ସିଡିଏ, କଟକରେ ପରିଚାଳିତ ହେଉଥିବା ଡ୍ରାଇଭିଂ ପରୀକ୍ଷାକୁ ୧ ଜୁନ୍ ୨୦୨୬ ଠାରୁ ଗୋପାଳପୁରସ୍ଥିତ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନ୍ (Automated Driving Testing Station- ADTS)କୁ ସ୍ଥାନାନ୍ତର କରାଯିବ ।
ଗୋପାଳପୁର ମୌଜାର ପ୍ଲଟ୍ ନମ୍ବର ୮୭୩ରେ ଅବସ୍ଥିତ ଏହି ନୂତନ କେନ୍ଦ୍ରରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସହ ଲର୍ଣ୍ଣର୍ସ ଲାଇସେନ୍ସ ପରୀକ୍ଷା ମଧ୍ୟ ୧ ଜୁନ୍ ଠାରୁ କାର୍ଯ୍ୟକାରୀ ହେବ ।
ଯେଉଁ ଆବେଦନକାରୀମାନେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ପୂର୍ବରୁ ସମୟ ଓ ତାରିଖ ବୁକ୍ କରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ନୂତନ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ୧ ଜୁନ୍ ୨୦୨୬ କିମ୍ବା ଏହା ପରବର୍ତ୍ତୀ ତାରିଖ ପାଇଁ ବୁକିଂ କରିଥିବା ଆବେଦନକାରୀଙ୍କୁ ପରୀକ୍ଷା ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚିତ କରାଯିବ।