ଆଖିରେ ଆଖିଏ ସପନକୁ ଭରି
ଖଟୁଥାଏ ରାତି-ଦିନ,
ସକଳ ସପନ ଆଖି ଲୁହ ହୋଇ
ଝରିଯାଏ ସବୁଦିନ ।
ସୂର୍ଯ୍ୟୋଦୟ’ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ
ଖଟୁଥା’ନ୍ତି ବାରଘଣ୍ଟା ,
କ୍ରୀତଦାସ ହୋଇ ଜୀବନ ବିତାନ୍ତି
ଦୀନ-ଦରିଦ୍ର ଜନତା ।
ଭୋକ-ଓପାସର କାର୍ଯ୍ୟ ଖିଲାପରେ
ଖାଇଥା’ନ୍ତି ଗାଳି-ମାଡ଼ ,
ଧନୀକ ବୁର୍ଜୁଆ ମାଲିକ ଗୋଷ୍ଠୀଙ୍କ
ବଢ଼ୁଥାଏ ଅତ୍ଯାଚାର ।
ଶ୍ରମ-କଷ୍ଟ ହୃଦେ ତତଲା ଲୁହରେ
ଜାଗିଲେ ଶ୍ରମିକ ଦଳ,
ଶ୍ରମ ତ୍ଯାଗ କରି ଅନ୍ଯାୟ ବିରୋଧେ
ହୋଇଲେ ସଭିଁଏ ଠୁଳ ।
ଆଠଘଣ୍ଟା ଶ୍ରମ ଦାବିରେ ଦି’ ଲକ୍ଷ
ଶ୍ରମିକଙ୍କ ଆନ୍ଦୋଳନ,
ମଇଁ ମାସ ଏକ – ତାରିଖ ଅଠ୍ର ଶ’
ଛୟାଅଶି ସେହିଦିନ ।
ଆମେରିକାସ୍ଥିତ ଚିକ୍କାଗୋ ସହର
ବିକ୍ଷୋଭରେ ପ୍ରକମ୍ପିତ,
ବୁର୍ଜୁଆ ମାଲିକ ଗୋଷ୍ଠୀ ଆକ୍ରମଣେ
ଶ୍ରମିକ ଯେ’ ମୃତାହତ ।
ରକ୍ତ ଜୁଡ଼ୁବୁଡ଼ୁ ଶ୍ରମିକଙ୍କ ବସ୍ତ୍ର
ଲାଲ୍ ଝଣ୍ଡା ପ୍ରକମ୍ପିତ,
ଶ୍ରମିକଙ୍କ ହିତ ସାଧନ ନିମନ୍ତେ
ଆଶ୍ବସ୍ତ ବାଣୀ ଘୋଷିତ ।
ବିକ୍ଷୋଭ ସ୍ମରଣେ ଯେ’ ବିଶ୍ବ ଶ୍ରମିକ
ଦିବସ ଭାବେ ପ୍ରଣୀତ,
ମେ’ ମାସ ପହିଲା ଅଠ୍ର ଶ’ ଅଣା-
ନବେରୁ ହୁଏ ଗ୍ରୁହୀତ ।
ବିଶ୍ବ ପାରାବାରେ ଶହୀଦ ଶ୍ରମିକେ
ଶ୍ରଦ୍ଧାଞ୍ଜଳି ସମର୍ପଣ,
ଶୋକାର୍ତ୍ତ ଚିତ୍ତରେ ଲାଲ୍ ସଲାମ’ରେ
ଦିବସ ଭଣେ ସ୍ମରଣ ।
××× ××× ×××
ସୈନିକ ଶ୍ରମିକ କୃଷକ ତ୍ରିତୟ
ତ୍ରିରତ୍ନ ତ୍ରିଭୁଜ ସମ,
ସୁରକ୍ଷା ସହିତ ଆର୍ଥିକ ବିକାଶ
ଜନାହାର ଉତ୍ପାଦନ ।
ଏମନ୍ତ ତ୍ରିରତ୍ନ ହେଲେ ମଜଭୁତ
ନିଶ୍ଚେ ରାଷ୍ଟ୍ରର ବିକାଶ,
ରୁଗ୍ଣ ଅବା ଅବ – ହେଳିତ ହୋଇଲେ
ସମାଜ ହେବ ବିନାଶ ।
ଶ୍ରମିକ ଚିକିତ୍ସା ସୁରକ୍ଷା ସମ୍ମାନ
ବେତନ ଓ ଭବିଷ୍ୟତ,
ସର୍କାରୀ ଦପ୍ତରେ ଅଗ୍ରାଧିକାରରେ
ଶାନ୍ତି ସନ୍ତୋଷ ଏକାନ୍ତ ।
ଶ୍ରମିକଙ୍କ ସୁସ୍ଥ ଜୀବନ-ଯାପନେ
ଶିଳ୍ପାୟନ ଗତିଶୀଳ,
ଶ୍ରମିକଙ୍କ ସୁଖ ଶାନ୍ତି ସନ୍ତୋଷରେ
ଜାତୀୟ ଜନମଙ୍ଗଳ ।
ସଭିଁଙ୍କୁ ସମାନ ନ୍ୟାଯ୍ୟ ଅଧିକାର
କୃଷକ ସୈନ୍ଯ ଶ୍ରମିକ,
ଏମାନଙ୍କ ହସ ଦେଶ ଜାତି ପୁଷ୍ପ
ସୁପରିବେଶ ମହକ ।
ଶ୍ରମିକ ସମସ୍ଯା ସମାଧାନେ ନ୍ଯାୟ
ପ୍ରଦାନ ଆଶୁ କର୍ତ୍ତବ୍ଯ,
ଶ୍ରମ କମିଶନ ଦୁର୍ନୀତିରେ ଏବେ
ବ୍ଯବସ୍ଥା ହୀନ ଅଶୁଭ ।
ସକଳ ଅନ୍ଯାୟ ଅତ୍ଯାଚାର ମଧ୍ଯୁ
ଦୁର୍ନୀତି ଉତ୍କଟ ବିଷ ,
ସର୍କାରୀ ଦୁର୍ନୀତି କିଏ ଦୂରେଇବ
ନ୍ୟାୟାଧୀଶେ ମୋର ପ୍ରଶ୍ନ ?
ଶ୍ରମିକ ଦିବସେ ଶ୍ରମିକ ସମାଜେ
ଶ୍ରଦ୍ଧା-ଶୁଭେଚ୍ଛା ଅଶେଷ,
ଶ୍ରମ କର୍ମ ଧର୍ମ ସୁଖ-ଶାନ୍ତି ଲବ୍ଧ
ଭାଳେ ଶମ୍ଭୁନାଥ ଦାସ ।।
ଶମ୍ଭୁନାଥ ଦାସ