ବାର୍ଷିକ ମେଡିକାଲ୍ ପ୍ରଦର୍ଶନୀ “ଇନୋଭେଟିଆ ୧.0” ଆୟୋଜିତ

ବାରିପଦା ( କ ବ୍ୟୁ )।ତା୨୩/୦୪/୨୦୨୬ :

ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ପରିସରରେ, “ଇନୋଭେଟିଆ 1.0” ନାମକ ବାର୍ଷିକ ମେଡିକାଲ୍ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଛାତ୍ରସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉକ୍ତ କଲେଜର ଡିନ୍ ଓ ପ୍ରିନ୍ସିପାଲ୍, ପ୍ରୋଫେସର୍ ଡ଼ଃ ବ୍ରଜ କିଶୋର ଦାଶ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଡଃ ଦାଶ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ ଚେତନାକୁ ଉତ୍ସାହିତ କରିବା ସହିତ ସାଧାରଣ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବାରେ ମୂଲ୍ୟବାନ ଭୂମିକା ଗ୍ରହଣ କରିଛି ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

      ଏହି ପ୍ରଦର୍ଶନୀରେ ଏମବିବିଏସ ପ୍ରଥମ ବର୍ଷରୁ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନେ ମୋଟ ୨୭ଟି ପ୍ରଦର୍ଶନୀ ମଡେଲ୍ ପ୍ରସ୍ତୁତ କରିଥିଲେ । ଏଥିରେ ଦଉଡି଼ରେ ଝୁଲିବା କେସ୍ (ଫାଶୀ) , ସାପ କାମୁଡ଼ା, ହୃଦୟର କାର୍ଯ୍ୟପ୍ରଣାଳୀ, ଶ୍ୱାସ-ପ୍ରଶ୍ୱାସ ଯନ୍ତ୍ରଣା, ପଲିସିଷ୍ଟିକ ଓଭାରିୟାନ ସିଣ୍ଡ୍ରୋମ, ଉଚ୍ଚ ସ୍ଥାନ ଓ ଗଭୀର ସମୁଦ୍ରର ଶାରୀରିକ ବିଜ୍ଞାନ, ଭିଟାମିନ (ଏ, ସି, ଡି),  ଡାଏବେଟିସ୍ ଓ ମୋଟାପାରେ ପୋଷଣ, ଅଂଶୁଘାତ, ଫୁସଫୁସ ସମ୍ବନ୍ଧୀୟ ଟିବି, ଏନିମିଆ, ନିରନ୍ତର ସକରାତ୍ମକ ବାୟୁ ଚାପ (ସିପିଏପି), ହୃଦ୍‌-ଫୁସଫୁସ ପୁନର୍ଜୀବନ (ସିପିଆର୍), ଶରୀର ବସ୍ତୁ ସୂଚକାଙ୍କ (ବିଏମାଇ) ଓ ବ୍ଲଡ୍ ପ୍ରେସର୍ ମାପନ ଇତ୍ୟାଦି ସମ୍ପର୍କିତ ଶିକ୍ଷାମୂଳକ ମଡେଲ୍ ପ୍ରଦର୍ଶନ କରାଯାଇଥିଲା । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧିରେ ବହୁଳ ଭାବରେ ସହାୟକ ହୋଇଛି ।

ଉକ୍ତ ପ୍ରଦର୍ଶନୀକୁ ବାରିପଦାର ବିଭିନ୍ନ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ଯଥା:- ସାଇ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରିନ୍ସ ପବ୍ଲିକ୍ ସ୍କୁଲ୍, କ୍ୱାଣ୍ଟମ୍ ଏକାଡେମି, ଆର୍ଯ୍ୟଭଟ୍ଟ କୋଚିଂ, ଜ୍ଞାନଦୀପ +୨ ସାଇନ୍ସ ରେସିଡେନ୍ସିଆଲ୍ କଲେଜ୍, ପ୍ରଭା ସ୍କୁଲ୍ ଏଣ୍ଡ କଲେଜ୍ ଅଫ୍ ନର୍ସିଂ, ପୁର୍ଣ୍ଣଚନ୍ଦ୍ର ହାୟର୍ ସେକେଣ୍ଡାରୀ ସ୍କୁଲ ପ୍ରଭୃତିର ଅନେକ ଛାତ୍ରଛାତ୍ରୀ ପରିଦର୍ଶନ କରି ଜ୍ଞାନ ଅର୍ଜନ କରିଥିଲେ ।

ଏହି ଅବସରରେ ଭବିଷ୍ୟତର ମେଡିକାଲ୍ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ବିଜେତାମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

           ଉକ୍ତ କାର୍ଯ୍ୟକ୍ରମ ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟ, ପ୍ରୋଫେସର ଡ଼ଃ ଇନ୍ଦ୍ରାଣୀ ମହାନ୍ତି ମାର୍ଗଦର୍ଶନରେ ହୋଇଛି । ଏଥିରେ ଛାତ୍ରସଂଘର କାର୍ଯ୍ୟକର୍ତ୍ତା ତଥା ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି ସଫଳ  କରିଥିଲେ।

ଦୀନବନ୍ଧୁ ବାରିକ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *