“ବିଶ୍ୱ ମ୍ୟାଲେରିଆ ଦିବସ ସପ୍ତାହଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରାକରଣ ପାଇଁ ଆନ୍ତଃ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ”

ବାରିପଦା ( କ ବ୍ୟୁ )ତା୨୩/୦୪/୨୦୨୬ :
ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରାକରଣ ପାଇଁ ଆନ୍ତଃ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳରେ ନାଳ ସଫା, କୀଟନାଶକ ସିଞ୍ଚନ ସମେତ ସମସ୍ତ ଅଞ୍ଚଳର ଜନସାଧାରଣମାନଙ୍କ ମଧ୍ୟରେ ମଶାରୀ ବ୍ୟବହାର କରିବା ପାଇଁ ସଚେତନତା ଅଭିଯାନ କରିବାକୁ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାପାଳ ଶ୍ରୀ ସୟ୍ ଘର ଘର ବୁଲି ସମସ୍ତ ଜ୍ଵର ରୋଗୀଙ୍କୁ ମ୍ୟାଲେରିଆ ରକ୍ତ ପରୀକ୍ଷା କରିବା, ଶୋଇଲା ବେଳେ ମଶାରୀ ଟାଙ୍ଗି ଶୋଇବା, ଏବଂ ପ୍ରତ୍ୟେକ ମ୍ୟାଲେରିଆ ରୋଗୀକୁ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ କରିବା ପାଇଁ ତୃଣମୂଳ ସ୍ତରରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ ଠୁ ଆରମ୍ଭ କରି ମେଡିକାଲ ଟିମ୍ ସଭିଏଁ ଦଳ ଭିତ୍ତିକ କାର୍ଯ୍ୟ କରିବାକୁ ନିଜ ଅଭିଭାଷଣରେ ମତପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ଵନାଥ ଦାସ ଯଥାଶୀଘ୍ର ରୋଗ ଚିହ୍ନଟ କରି ସମ୍ପୂର୍ଣ୍ଣ ଚିକିତ୍ସା କରିବା କରିବା ସହିତ ପରୀକ୍ଷାଗାର ଟେକ୍ନିସିଆନମାନେ ଉଚିତ୍ ସମୟରେ ରକ୍ତ କାଚରେ ମଇକ୍ରୋସ୍କୋପି ସହାୟତାରେ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ (ଭି ବି ଡି) ଡା. ବିଜୟ କୁମାର ଦାସ ସମସ୍ତେ ମଶାରୀ ବ୍ୟବହାରକୁ ସୁନିଶ୍ଚିତ କରିବା, ମ୍ୟାଲେରିଆ ରୋଗୀର ରକ୍ତ ପରୀକ୍ଷା ପ୍ରତି ଯତ୍ନବାନ ହେବାକୁ ନିଜ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ କରିଥିଲେ ।

ଆଜିର ଏହି ସଭା ଅବସରରେ ତଥା ବିଶ୍ୱ ମ୍ୟାଲେରିଆ ଦିବସ ସପ୍ତାହ ପାଳନ ଉପଲକ୍ଷେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ମ୍ୟାଲେରିଆ ରୋଗ ବିରୋଧରେ ଲଢିବା ନିମନ୍ତେ ଶପଥ ପାଠ କରିଥିଲେ ।

ଉକ୍ତ ସଭାରେ ଜିଲା ଭେକ୍ଟୋର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ପାୱାର ପଏଣ୍ଟ ପ୍ରେଜେନଟେସନ ମାଧ୍ୟମରେ ଜିଲ୍ଲାର ମ୍ୟାଲେରିଆ ଓ ଡେଙ୍ଗୁର ସ୍ଥିତି ଏବଂ ମ୍ୟାଲେରିଆ ଏବଂ ଡେଙ୍ଗୁର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଡିନ୍ ଡା. ବ୍ରଜକିଶୋର ଦାସ, ଜିଲ୍ଲା ମୂଖ୍ୟ ଚିକିତ୍ସକ ଡା. ଶଶୀକାନ୍ତ ସେଠି , ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ସୁବାସ ଚନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁନନ୍ଦା ମିଶ୍ର , ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(କୁଷ୍ଠ) ଡା. ଶାନ୍ତନୁ କୁମାର ଦାସ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁର୍ଦ୍ଧର ମୁର୍ମୁ , ସମସ୍ତ ଅଧିକ୍ଷକ ଉପଖଣ୍ଡ ଅଞ୍ଚଳ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀକ୍ଷକ ସିଡ଼ିପିଓ ପ୍ରମୁଖ ଉପସ୍ଥିତ ଥିଲେ ।

ସଭା ଶେଷରେ ଜିଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳକ ଶ୍ରୀ ଅନୀଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । । ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଗୋପବନ୍ଧୁ ଗିରି ଅର୍ଥ ଓ ଉପକରଣ ସହଯୋଗୀ , ଦୁର୍ଗା ପ୍ରସାଦ ଓ ଅମୁଲ୍ୟ ଦାସ , ପର୍ଶୁରାମ ପାଲ ,ବଳରାମ ବେହେରା ଏବଂ ସ୍ୱାସ୍ଥ୍ୟ ମିଶନର ସମସ୍ତ ମ୍ୟାନେଜର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *