କୃଷି – କୃଷକ – କୃଷକ ମନ୍ଦିର … ଏକ ଵିହଙ୍ଗାଵଲୋକନ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ପୁଣ୍ୟ ତିଥି ଆମ ରାଜ୍ୟରେ କୃଷକ ଦିବସର ମାନ୍ୟତା ଲାଭ କରିଛି । ଚାଷୀକୁଳ ପାଇଁ ଆଜିର ଦିନଟି ବିଶେଷ ଗୁରୁତ୍ବ ବହନ କରୁଛି ।ଆଜି ଦିନରେ ଚାଷୀ ଟିଏ ତା’ ବିଲରେ ଅଖିମୁଠି ବୁଣି ଚାଷ କାର୍ଯ୍ୟ ଅନୁକୂଳ କରିଥାଏ । ପବିତ୍ର ଅକ୍ଷୟ ତୃତୀୟା ର ଶୁଭ ଅବସର ସକଳ ଚାଷୀକୁଳର କମନୀୟ ସଂସ୍କୃତି ଓ ପରମ୍ପରା ର ଗାଥା ବହନ କରିଥାଏ । ଆଜିର ଏହି ଶୁଭ ଲଗ୍ନ ରେ ପ୍ରତ୍ୟେକ ଚାଷୀଭାଇଙ୍କ ମନରେ ଖେଳିଯାଇଛି ଆନନ୍ଦର ଲହରୀ । ଆମ କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । କୃଷି ହେଉଛି ଜିଲ୍ଲାର ସର୍ବଶ୍ରେଷ୍ଠ ସମ୍ବଳ। ଚାଷ ନାହିଁ ତ ବାସ ନାହିଁ , ଏହି ଉକ୍ତି ହେଉଛି ଜିଲ୍ଲାର ବୈଶିଷ୍ଟ୍ୟ। ହେଲେ ସେଇ ଚାଷୀ – କୃଷକ – ଅନ୍ନଦାତା ଯେ କି ହିଡ ମାଟି ହିଡରେ ଲଦି ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳାଇ ସାରା ଦୁନିଆକୁ ଆହାର ଯୋଗାଇଥାଏ, ତା’ ମୁହଁ ରେ ଟିକେ ହସ ନାହିଁ , କାରଣ ତା’ର କଠିନ ଶ୍ରମ ତୁଳନାରେ ସେ ସର୍ବନିମ୍ନ ପ୍ରୋତ୍ସାହନ ଏଵଂ ସମୁଚିତ ସମ୍ମାନ ଟିକେ ପାଉ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖ ଏଵଂ ପରିତାପର ବିଷୟ। କେନ୍ଦ୍ରାପଡ଼ା ଜିଲ୍ଲାର ପରମ ଆରାଧ୍ୟ ଦେଵତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ,ସେ ହେଉଛନ୍ତି ଚାଷ ଆଉ ଚାଷୀକୁଳ ର ଦେବତା। ତାଙ୍କରି ଶୁଭାଶିଷ ରୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ନିର୍ଵିଘ୍ନରେ କାଳାତିପାତ କରୁଛନ୍ତି। ଚାଷୀକୁଳ ହସିଲେ ପ୍ରଭୁ ବଳଦେବଜୀଉ ଖୁସିହେଵେ। ବରେଣ୍ୟ , ବନ୍ଦନୀୟ , ପୂଜାସ୍ପଦ, ସମ୍ମାନାସ୍ପଦ ଅନ୍ନଦାତା ଙ୍କ ସ୍ଵାଭିମାନ ,ସମ୍ମାନ ଏଵଂ ଅସ୍ମିତା କୁ ବଜାୟ ରଖିବା ଦିଗରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କେନ୍ଦ୍ରାପଡ଼ା ର ଅଭିନବ ପରିକଳ୍ପନା — କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଗ୍ରାମରେ ନିର୍ମାଣ ହେଵ ” କୃଷକ ମନ୍ଦିର ” ଯାହାକି ଆମ ଜିଲ୍ଲା ତଥା ରାଜ୍ୟର ଚାଷୀକୁଳ ପାଇଁ ହେବ ଆଲୋକଵର୍ତ୍ତିକା ….. ଦିଗବାରେଣି ……
ଆଜି ୨୦୨୬ ମସିହା ଅପ୍ରେଲ ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଲଗ୍ନ ରେ ହେବ କୃଷକ ମନ୍ଦିରର ଭୂମିପୂଜନ ….ଏ ଶୁଭ କାର୍ଯ୍ୟ ପ୍ରଭୁ ବଳଦେବଜୀଉ ଙ୍କ ଶ୍ରୀଚରଣ ରେ ସମର୍ପିତ ।ଏହା ତାଙ୍କରି କାର୍ଯ୍ୟ …. ତାଙ୍କରି କାର୍ଯ୍ୟ କୁ ସେ ହିଁ ଆଗେଇ ନେବେ । 🙏ଜୟ ଶ୍ରୀ ସିଦ୍ଧ ବଳଦେବଜୀଉ 🙏
ପ୍ରମୋଦ ନାୟକ,
ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା ସଭ୍ୟ , ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ , କେନ୍ଦ୍ରାପଡ଼ା।
ମୋବାଇଲ – ୯୩୪୮୩୯୯୯୨୭
୯୫୫୬୬୦୩୮୫୮

Leave a Reply

Your email address will not be published. Required fields are marked *