ବ୍ରହ୍ମଗିରିରେ ଆମ୍ ଆଦମୀ ପାର୍ଟିର ଥାନା ଘେରାଉ, IICଙ୍କୁ ତୀବ୍ର ନିନ୍ଦା

ପୁରୀ ୯ /୪(ବଳରାମ ତ୍ରିପାଠି) : ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ବ୍ରହ୍ମଗିରି ଥାନା ଘେରାଉ କରାଯାଇ ବ୍ରହ୍ମଗିରି IICଙ୍କ ନିଷ୍କ୍ରିୟତାକୁ ତୀବ୍ର ନିନ୍ଦା କରାଯାଇଛି। ବ୍ରହ୍ମଗିରି ଥାନା ଅନ୍ତର୍ଗତ ବ୍ରହ୍ମଗିରି ବଜାରରେ ଦିନ ଦ୍ୱିପ୍ରହରରେ ଜଣେ ନାବାଳକଙ୍କ ହାତ ବାନ୍ଧି, ବେକରେ ଫ୍ଲାକ୍ କାର୍ଡ ପକାଇ ସାର୍ବଜନୀନ ଭାବେ ବୁଲାଇବା ଘଟଣାକୁ ଆଜି ଦୀର୍ଘ କୋଡ଼ିଏ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଦଳ ଗଭୀର କ୍ଷୋଭ ପ୍ରକାଶ କରିଛି।

ଆମ୍ ଆଦମୀ ପାର୍ଟି ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି ଯେ, ପୋଲିସର ଏହି ନିଷ୍କ୍ରିୟତାର କାରଣ ହେଉଛି ଅଭିଯୁକ୍ତ ସ୍ଥାନୀୟ ବିଧାୟିକାଙ୍କ ନିକଟତମ ଲୋକ। ଏହି କାରଣରୁ ପୋଲିସ ନିଷ୍ପକ୍ଷ ଭାବେ କାମ କରିବାରେ ଅସମର୍ଥ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ସଭାପତି ଯୁଧିଷ୍ଟିର ବାରିକ, ଜିଲ୍ଲା ମହିଳା ସଭାନେତ୍ରୀ ତପସ୍ୱିନୀ ଜଗଦେବ, ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି, ରାଜ୍ୟ ଲିଗାଲ ସେଲ୍ ସଭାପତି ସିଦ୍ଧାର୍ଥ ପରିଡ଼ା, ଉପସଭାପତି ଅନୀଲ ସେନାପତି, ରବୀନ୍ଦ୍ରନାଥ ସାହୁ, ପୁରୀ ନଗର ସଭାପତି ରମାକାନ୍ତ ସ୍ୱାଇଁ, ସୁଦର୍ଶନ ପଲେଇ,ବିଶ୍ୱଜିତ୍ ପରିଡ଼ା, ଉମାକାନ୍ତ ସାହୁ, ଲିଙ୍ଗରାଜ ପାତ୍ର, ଉମାରାଣୀ ଦଳାଇ, ସୁଜାତା ଦଳାଇ, ଭାନୁମତୀ ଦଳାଇ, ମନି ପାଣ୍ଡେ, ଘନଶ୍ୟାମ ବେହେରା ସମେତ ଦଳର ଶତାଧିକ କର୍ମୀ ଯୋଗଦେଇଥିଲେ।

ନାବାଳକଙ୍କ ପିତାଙ୍କ କହିବା ଅନୁଯାୟୀ, ସେ ନ୍ୟାୟ ପାଇବା ଆଶାରେ ଥାନାକୁ ବାରମ୍ବାର ଦୌଡ଼ି ଦୌଡ଼ି ଏବେ ନିରାଶ ଓ ନିରୁପାୟ ଅବସ୍ଥାରେ ଦିନ କାଟୁଛନ୍ତି। ସେ ନିଜ ଜୀବନ ପ୍ରତି ମଧ୍ୟ ବିପଦ ଥିବା କଥା ଜଣାଇଛନ୍ତି।

ଆମ୍ ଆଦମୀ ପାର୍ଟି ଏହି ଘଟଣାରେ ତୁରନ୍ତ ଓ ନିଷ୍ପକ୍ଷ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନଚେତ୍ ଆସନ୍ତା ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *