ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନୁରୋଧ :ଜିଲ୍ଲାପାଳ

କୋରାପୁଟ : ଶିକ୍ଷା ଦେଶର ଭବିଷ୍ୟତ,ଖଡ଼ି ଛୁଆଁରେ ଅଭିଭାବକଙ୍କ ସହ ଛାତ୍ର ଛାତ୍ରୀ ଉପସ୍ଥିତ I ପ୍ରଶାସନ ପକ୍ଷରୁ ଜିଲ୍ଲାରେ ପାଳନ ହେଲା ଓଡ଼ିଆ ପକ୍ଷ ଦିବସ ର ଖଡିଛୁଆଁ I ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରକୁ ଲକ୍ଷ୍ୟ କରି ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷା ମୂଳକ ଓ ସାମ୍ପ୍ରଦାୟିକ କାର୍ଯ୍ୟକ୍ରମ ଉତ୍ସାହ ଓ ଆଡମ୍ବରର ସହିତ ଆୟୋଜିତ ହେଉଛି। ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗରିମାମୟ ଭାବରେ ପାଳିତ ହୋଇଛି। କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜାନ ପଡ଼ିଆଗୁଡା ବିଦ୍ୟାଳୟରେ ଉପସ୍ଥିତ ରହି ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନୂତନ ଶିକ୍ଷାବର୍ଷରେ ପ୍ରଥମେ ବିଦ୍ୟାଳୟକୁ ଆସୁଥିବା ଶିଶୁମାନଙ୍କୁ ଖଡ଼ି ଧରାଇ ତାଙ୍କ ଶିକ୍ଷା ଯାତ୍ରାର ଶୁଭ ଆରମ୍ଭ କରାଇଥିଲେ।ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନୁରୋଧ କରିବା ସହ ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ଓ ତାଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଗୁରୁତ୍ୱ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଅନ୍ୟ ପଟେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ବଡ଼ ଚିନ୍ଦ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗଦେଇ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନୂତନ ଭାବେ ଭର୍ତ୍ତି ହେଉଥିବା ଶିଶୁମାନଙ୍କୁ ସ୍ୱାଗତ କରି ପୁସ୍ତକ, ବ୍ୟାଗ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ବିତରଣ କରିଥିଲେ। ଏହା ସହ ଅଭିଭାବକମାନଙ୍କୁ ସନ୍ତାନମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବାକୁ ଆହ୍ୱାନ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଉଲ୍ଲେଖନୀୟ ଉପସ୍ଥିତି ଦେଖାଯାଇଥିଲା। ଶିଶୁମାନଙ୍କ ମୁହଁରେ ଖୁସିର ହସ ଓ ଉତ୍ସାହ ଅବସରକୁ ଅଧିକ ମନୋରମ କରିଥିଲା। ‘ଓଡ଼ିଆ ପକ୍ଷ’ ଅବସରରେ ଏପରି କାର୍ଯ୍ୟକ୍ରମମାନେ ନୂତନ ପିଢ଼ୀକୁ ଶିକ୍ଷା ପ୍ରତି ଆଗ୍ରହୀ କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ସମ୍ମାନ ଓ ଗୌରବବୋଧ ବଢ଼ାଇବାରେ ସହାୟକ ହେଉଛି।

Leave a Reply

Your email address will not be published. Required fields are marked *