ବିଶ୍ବ ସ୍ବାସ୍ଥ୍ୟ ଦିବସ ✍️୭ ଅପ୍ରେଲ

ମାନବ ଶରୀର ଅମୂଲ୍ଯ ସମ୍ପଦ
ସୁସ୍ଥତା ତା’ର କୁହୁକ,
ସୁସ୍ଥ ନିରାମୟ ଜୀବନରୁ ସଦା
ବହେ ପ୍ରତିଭା ମହକ ।

ଭବ୍ଯ ଶାନ୍ତ ପ୍ରୀତ ଶୁଦ୍ଧ ପୂତ ଚିତ୍ତ
ରହିଥିଲେ ହୃଦ-ମନ,
ଶାକାହାର ସାଥେ ଆଧ୍ୟାତ୍ମିକ ବୋଧ
ଥିଲେ ହିଁ ସୁସ୍ଥ ଜୀବନ ।

ବିଭିନ୍ନ ପ୍ରକାର ରୁଗ୍ଣ ପରିବେଶ
ସୃଷ୍ଟି କରେ ନାନା ରୋଗ,
ଜ୍ବର କାଶ’ଠାରୁ ଯକ୍ଷ୍ମା ଓ କର୍କଟେ
ଜୀବନ ହୁଏ ବିରାଗ ।

ଅସୁସ୍ଥ ଜୀବନ କର୍ମ ପରାଭବ
ସମାଜ ହୁଏ ବିଦୀର୍ଣ୍ଣ,
ଏମନ୍ତ କାରଣ ଚିନ୍ତନରେ ସୃଷ୍ଟ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଊନବିଂଶ ଶତ ଅଠ୍ଚାଳିଶ ସନ
ଅପ୍ରେଲ ସାତ ତାରିଖ,
ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠାରେ ଧ୍ୟାନ
ସ୍ବାସ୍ଥ୍ୟରକ୍ଷା ଆବଶ୍ୟକ ।

ଶରୀର ବିଜ୍ଞାନୀ ଅଭିଜ୍ଞ ଡାକ୍ତର
ସଂଗଠନର ସଦସ୍ଯ,
ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟ ପରୀକ୍ଷଣେ
ଜ୍ଞାନ-ବିଜ୍ଞାନ ପ୍ରକାଶ ।

ଊନବିଂଶ ଶତ ପଚାଶ ସାଲରୁ
ଯେ’ ବିଶ୍ବ ସ୍ବାସ୍ଥ୍ୟ ଦିବସ,
ସ୍ବାସ୍ଥ୍ୟ ସମ୍ମେଳନ ସଚେତନ ଜ୍ଞାନ
ରୋଗ ପ୍ରତିକାରେ ଭାଷ୍ଯ ।

ହୋମିଓପାଥିକ ଆୟୁର୍ବେଦ ସାଥେ
ଏଲୋପାଥିକ ଔଷଧ,
ରୋଗ ନିବାରଣେ ବିଜ୍ଞାନାଗାରରେ
ଔଷଧ-ପଥି ପ୍ରସ୍ତୁତ ।

ପ୍ରତିକାର’ଠାରୁ ପ୍ରତିଷେଧକ ଯେ’
ଉତ୍ତମ ସ୍ବାସ୍ଥ୍ୟ କରଣ,
ଧୂମପାନ ଆଉ ମାଦକ ନିଷେଧେ
ନାନା ରୋଗ ନିୟନ୍ତ୍ରଣ ।

ବୃକ୍ଷ-ଲତା ଆମ ସୁସ୍ଥ ପରିବେଶ
ବାୟୁମଣ୍ଡଳ ବିଶୁଦ୍ଧ,
ସୁସ୍ଥ ନିରାମୟ ସୁଷମ ଖାଦ୍ଯରେ
ଯୋଗ-ବ୍ଯାୟାମ ବିବିଧ ।

ସ୍ବାସ୍ଥ୍ୟ ହିଁ ସମ୍ପଦ ବୌଦ୍ଧିକ ବିକାଶ
ଜୀବନେ କର୍ମ ସରସ,
ସୁସ୍ଥ ସମାଜରେ ସର୍ବେ ସୁଖ-ଶାନ୍ତି
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକା

Leave a Reply

Your email address will not be published. Required fields are marked *