
ବାରିପଦା(କ:ବ୍ଯୁ)ତା୦୬/୦୪\୨୦୨୬
ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର ଏବଂ ହାଟବଜାର ଅଞ୍ଚଳଗୁଡ଼ିକରେ “ସ୍ୱଚ୍ଛତା ଅଭିଯାନ” ବ୍ୟାପକ ଭାବେ ଆୟୋଜିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି।
ଏହି ଅଭିଯାନ ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ପରିଷ୍କାରତା, ସ୍ୱାସ୍ଥ୍ୟ ସଚେତନତା ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ପ୍ରଦାନ କରାଯାଇଛି। ବିଶେଷକରି ସାଧାରଣ ଜନସାଧାରଣଙ୍କ ଆଗମନ ଥିବା ସ୍ଥାନଗୁଡ଼ିକୁ ପରିଷ୍କାର ଓ ସୁନ୍ଦର ରଖିବା ଉପରେ ଏହି କାର୍ଯ୍ୟକ୍ରମରେ ଜୋର ଦିଆଯାଇଥିଲା।
ଏହି ସ୍ୱଚ୍ଛତା ଅଭିଯାନ ଜିଲ୍ଲାର ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ଭାବରେ ଆୟୋଜନ କରାଯାଇଥିଲା । ଏଥିରେ ସଂପୃକ୍ତ ବ୍ଲକର ବିଡିଓ , ପଞ୍ଚାୟତ ସମିତି ଅଧ୍ୟକ୍ଷ, ପଞ୍ଚାୟତରାଜ୍ ସଦସ୍ୟମାନେ, ବ୍ଲକ୍ ଓ ଗ୍ରାମପଞ୍ଚାୟତ ଅଧିକାରୀମାନେ, ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସକ୍ରିୟ ଭାଗ ନେଇଥିଲେ । ସମସ୍ତଙ୍କ ଏକତ୍ର ସହଯୋଗ ଓ ସାମୂହିକ ପ୍ରୟାସ ଏହି ଅଭିଯାନକୁ ସଫଳ କରିଥିଲା।
ଅଭିଯାନ ସମୟରେ ବିଭିନ୍ନ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ସହ ଲୋକମାନଙ୍କୁ ଦୈନିକ ଜୀବନରେ ସ୍ୱଚ୍ଛତା ଅଭ୍ୟାସ ଆପଣାଇବାକୁ ପ୍ରେରିତ କରାଯାଇଥିଲା। ଏହା ସହିତ ପ୍ଲାଷ୍ଟିକ ବ୍ୟବହାର କମେଇବା, ଅବର୍ଜନାର ସଠିକ୍ ପ୍ରକ୍ରିୟାକରଣ ଓ ପରିବେଶ ସୁରକ୍ଷା ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)