“୯୧ ତମ କପ୍ତିପଦା ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୬ ଉଦଳା ଠାରେ ପାଳିତ”

ବାରିପଦା-ଉଦଳା(କ:ବ୍ଯୁ) ତା୦୧/୦୪/୨୦୨୬ – ୯୧ ତମ କପ୍ତିପଦା ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୬ ଉଦଳା ଠାରେ ମହାସମାରୋହରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ସର୍ବପ୍ରଥମେ ପ୍ରତ୍ୟୁଷ ଘ.୪.୩୦ ମି.ରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଉଦଳା ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଭାତଫେରୀ କରାଯିବା ପରେ ସକାଳ ୭ ଘଟିକା ସମୟରେ ପ୍ରଥମେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଦାନ କରାଯିବା ପରେ ବୀର ବିର୍ସାମୁଣ୍ଡା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ,ଡ. ବି.ଆର.ଆମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସର୍ବଶେଷରେ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଦାନ କରାଯାଇଥିଲା । ସହର ମଧ୍ୟରେ ଥିବା ସମସ୍ତ ପ୍ରତିମୂର୍ତ୍ତୀ ଗୁଡିକ ସମ୍ମୁଖରେ ଉପଖଣ୍ଡର ୪ ଜଣ ସିଡିପିଓଙ୍କ ତରଫରୁ ରଙ୍ଗୋଲି ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉପଜିଲ୍ଲପାଳ, ଏନଏସି ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ପ୍ରକଳ୍ପ ପ୍ରଶାସକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଡେପୁଟି କଲେକ୍ଟର, ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜନୈତିକ ନେତୃବୃନ୍ଦ, ବରିଷ୍ଠ ନାଗରିକ, ଶିକ୍ଷାବିତ୍‌, ବୁଦ୍ଧିଜୀବି, ଓକିଲ ସଂଘ, ଗଣମାଧ୍ୟମ ପ୍ରତିନିଧି ତଥା ଶିକ୍ଷାନୁଷ୍ଠାନର ପ୍ରତିନିଧି ଯୋଗ ଦେଇ ଛାତ୍ରଛାତ୍ରଙ୍କ ଗହଣରେ ମାଲ୍ୟାର୍ପଣ କରିଥିଲେ । ତତପରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅତିଥି ଭାବେ ଉପଜିଲ୍ଲାପାଳ କପ୍ତିପଦା, ଉଦଳା ସୁଶାନ୍ତ କୁମାର ବାରିକ, ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ବିଡିଓ ଉଦଳା ସମରଜିତ୍ କର, ଗୋପବନ୍ଧୁନଗର ବିଡିଓ ପୃଥ୍ୱୀରାଜ ପରିଡା, ତହସିଲଦାର ଉଦଳା ସୁପ୍ରଭା ଦାସ, ଗୋପବନ୍ଧୁନଗର ତହସିଲଦାର ଓମପ୍ରକାଶ ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ ଏବଂ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସମସ୍ତ ଅତିଥି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ଅର୍ପଣ ତଥା ଉତ୍କଳର ବରପୁତ୍ରମାନଙ୍କ ଫଟୋଚିତ୍ରରେ ଧୂପ,ସୁମନ ପ୍ରଦାନ କରିବା ପରେ ଆରଡିଏସ୍ ଡିଗ୍ରୀ ମହାବିଦ୍ୟାଳୟ କୁଣ୍ଡାବାଇର ଛାତ୍ରୀଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରାଯାଇଥିଲା । ଶ୍ରୀମତୀ ଦିଗ୍‌ବାଳା ପରିଡାଙ୍କ ଓଡିଶୀ ନୃତ୍ୟ ଶିକ୍ଷାକେନ୍ଦ୍ର, ଉଦଳାର କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବା ପରେ ଉପଖଣ୍ଡର ଚାରି ଗୋଟି ବ୍ଲକସ୍ତରରୁ ଚୟନ ହୋଇ ଆସିଥିବା ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଉପଖଣ୍ଡ ଟପ୍ପର ଚୟନ ପାଇଁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସାଧାରଣ ସଭାରେ ସମସ୍ତ ଅତିଥି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମୟୂରଭଞ୍ଜର ଭୂମିକା ଏବଂ ଓଡିଶା ଦିବସ ସମ୍ପର୍କିତ ବକ୍ତବ୍ୟମାନ ରଖିଥିଲେ । ସଭା ଶେଷରେ ସମସ୍ତ କୃତି ପ୍ରତିଯୋଗୀ, ଓଡିଶୀ ନୃତ୍ୟ କଳାକାର, ତଥା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉପଖଣ୍ଡର ୪ ଜଣ ସିଡିପିଓଙ୍କ ପ୍ରଚେଷ୍ଟାରେ ସଭାସ୍ଥଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମା ଭଉଣୀମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ପାରମ୍ପାରିକ ଓଡିଆ ଖାଦ୍ୟ ପ୍ରଦର୍ଶନୀର ଖାଦ୍ୟ ଖାଇ ଉପସ୍ଥିତ ଅତିଥି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉଚ୍ଚ ପ୍ରଶଂସା କରିଥିଲେ । ସଭା କାର୍ଯ୍ୟ ଶେଷରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ରାଜାରାମ ବେହେରା, ସୀତାକାନ୍ତ ମହାପାତ୍ର, କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର, କରୁଣାକର ମହାନ୍ତ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ, ତପନ କୁମାର ବାରିକ, ସହକାରୀ ଯୋଗାଣ ଅଧିକାରୀ ଶରତ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଲିପିପୁଷ୍ପା ଦାସ, ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚାନ୍ଦ, ରମେଶ ପୃଷ୍ଟି, ମାନସ ନାୟକ, ଗୌତମ ପ୍ରଧାନ, ସତ୍ୟପ୍ରକାଶ ପାତ୍ର, ଅନୁଭବ ରାଉତ, ଶ୍ରୀତମ ମହାନ୍ତି, ଭବାନୀ ପଣ୍ଡା, ତପୁରଞ୍ଜନ ପାତ୍ର, ଇଭାନ ଦଳେଇ, ଦୁଷ୍ମନ୍ତ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସଭା ଆୟୋଜନରେ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶୀଭୂଷଣ ପାଣିଗ୍ରାହୀ ଏବଂ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *