
ଜଳ ଆଉ କାଚ ସ୍ବଚ୍ଛ ପଦାର୍ଥରେ
ପ୍ରବେଶ କରେ ଆଲୋକ,
କାଚ ଏକ ପାର୍ଶ୍ବେ ପାରଦ ଲେପିଲେ
ପ୍ରତିବିମ୍ବର କୁହୁକ !
କୁହୁକର ଯାଦୁ- ବିଦ୍ଯାରେ କୌତୁକ
ଯାଦୁକର କୃତି ଖେଳ,
ଆନନ୍ଦଦାୟକ ସମ୍ମୋହନ ହସ୍ତ-
କୌଶଳର ଇନ୍ଦ୍ରଜାଲ !
ବ୍ରିଟିଶ ବାହିନୀ ଦର୍ପଣ ଦେଖେଇ
କାବୁ କରନ୍ତି ଯେମନ୍ତ,
ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଦର୍ପଣେ ସପନ
ଲୁଟି ନିଅନ୍ତି ସେମନ୍ତ ।
କଳା-ଧଳା ଅବା କୁହୁଳା ଧୂଆଁରେ
ପରିବେଶ ପ୍ରଦୂଷିତ,
ନେତା ଧୂଆଁ-ବାଣ ଗର୍ଜନେ ତର୍ଜନେ
ନିରୀହ ଜନ ମୋହିତ ।
ସ୍ବଚ୍ଛ କାଚ ମଧ୍ଯେ ଖସି ତ ପଳାଏ
ଠକ-ନେତା ଅଗ୍ନିବାଣ,
କାଚ ଏକ ପାର୍ଶ୍ବେ ପାରଦ ଲେପନ
ଧର-ପଗଡ଼ କରଣ ।
ଦଶହରାବେଳେ ବାରିକ ଦର୍ପଣ
ଦେଖେଇ ନିଅନ୍ତି ଧନ,
ଦର୍ପଣର ପ୍ରତି- ବିମ୍ବେ ବ୍ଯବସାୟୀ
ଦୋକାନ କରେ ଶୋଭନ ।
ନିଆଁ ନଥିଲେ ତ ଧୂଆଁ ବାହାରେନି
ସାହିତ୍ୟେ ଜନ ବଚନ,
ଦର୍ପଣ ସଦୃଶ ସାହିତ୍ୟ ଭୂମିକା
ନିର୍ବାହ ପ୍ରଥା ଶୋଭନ ।
ସତ୍ର ଶ’ ସତୁରୀ ମସିହାରୁ ସୃଷ୍ଟ
ଜର୍ମାନୀ ଯାଦୁ ରହସ୍ଯ,
ମାର୍ଚ୍ଚ ଅଣତ୍ରିଶ ତାହାର ପ୍ରତୀକ
ଧୂଆଁ – ଦର୍ପଣ ଦିବସ ।
ଧୂଆଁ ଓ ଦର୍ପଣ ଦିବସ ବିଚିତ୍ର
ଯାଦୁ ସର୍କସର ରୋଳ,
ଅନ୍ତଃସ୍ଥଳେ ଗୂଢ଼ – ରହସ୍ଯ ଅଜବ
କାକ ଡିମ୍ବରୁ କୋକିଳ !
ସାହିତ୍ୟ ଦର୍ପଣ ସରସ ସୁନ୍ଦର
ଧୂଆଁ ହେଉ ଜଳେ ନାଶ,
ସ୍ବଚ୍ଛ ପରିବେଶେ ସର୍ବେ ସୁଖ-ଶାନ୍ତି
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା