
ବାରିପଦା/ଉଦଳା(କ:ବ୍ଯୁ) ତା.୨୩/୦୩/୨୦୨୬ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୯୯ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ଧର୍ମାନନ୍ଦ ବେହେରା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୮୪ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୫ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୧୬ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୪ ଜଣଙ୍କୁ ଏକ ଲକ୍ଷ ପଇଁଚାଳିଶ ହଜାର, ରେଡ଼କ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦ ହଜାର ମୋଟ ଏକ ଲକ୍ଷ ପଞ୍ଚଷଠି ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମବାସୀ ଜଙ୍ଗଲ ଜମି ପଟା ପାଇନଥିବା, ଉଦଳା ହାଇସ୍କୁଲ ଜମିର ମାପ କରିବା ଏବଂ ସ୍କୁଲ ପଡ଼ିଆର ସୁରକ୍ଷା, କପ୍ତିପଦା ବ୍ଲକ ମାଙ୍କଡ଼ପଡ଼ା ପଞ୍ଚାୟତ ନଟାପଡ଼ା ଗ୍ରାମରେ ନୂତନ ନଳକୂପ ଖନନ, ଜଡ଼ିଦା ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟରେ ଦୁର୍ନୀତି, ରାଣୀପୋଖରୀ ପଞ୍ଚାୟତ ପ୍ରଧାନ ସାହି ଠାରୁ ମାନ୍ଦୁରାସାହିକୁ ସଂଯୋଗ କରୁଥିବା ଭାଙ୍ଗିଯାଇଥିବା ପୋଲର ପୁନଃ ନିର୍ମାଣ, ଖୁଣ୍ଟା ବ୍ଲକ କରକଚିଆ ପଞ୍ଚାୟତ ଭାଲିଆଡ଼ିହା ଗ୍ରାମରୁ ପଥରାକୁ ସଂଯୋଗ ପାଇଁ ପୋଲ ନିର୍ମାଣ, ଡ଼େଙ୍ଗାମ ପଞ୍ଚାୟତ ଜଡ଼ିଧର ଗ୍ରାମ ମଧ୍ୟ ଦେଇ ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବାରୁ ଜନବସତିକୁ ଉଠାଇôବା, ଧାନଘେରା ପଞ୍ଚାୟତ, ଧାନଘେରା ୱାର୍ଡ଼ ନଂ-୦୮ରେ ଜବର ଦଖଲ ଉଚ୍ଛେଦ ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ରମେଶ ପୃଷ୍ଟି, କବିତା ଖିଲାର, ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ରାଉତରାୟ ମୁର୍ମୁ, ପାର୍ବତୀ କିସ୍କୁ, ପ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)