
BBSR : ଦୀର୍ଘ ୪୧ ବର୍ଷ ଧରି ଓଡ଼ିଆ ଭାଷା-ସାହିତ୍ଯର ପ୍ରଚାର ପ୍ରସାର ଓ ବିକାଶ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା କୋଲକାତାର ନିରବଛିନ୍ନ ସାରସ୍ବତ ସାଧକ ଶ୍ରୀ ଶମ୍ଭୁନାଥ ଦାସ ଏକାଧାରରେ ଜଣେ କବି, ସମାଲୋଚକ, ସଙ୍ଗଠକ ଓ ପତ୍ରିକା ସମ୍ପାଦକ । ଦୀର୍ଘ ୩୧ ବର୍ଷ ଧରି ତାଙ୍କ ସଂପାଦନାରେ ପ୍ରକାଶିତ ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା : ଅଭିଯାନ କୋଲକାତା ମହାନଗରୀରେ ଓଡ଼ିଆ ସାରସ୍ବତ ପରିବେଶକୁ ଉଷ୍ମିତ ପୁଷ୍ପିତ ଓ ଉଦ୍ ବେଳିତ କରି ଆସୁଅଛି । ବହୁ ଆର୍ଥିକ ଅନଟନ ଓ ଘାତପ୍ରତିଘାତ ମଧ୍ଯରେ ପତ୍ରିକାର ଶତାଧିକ ସଂଖ୍ୟା ସଂପାଦନା ଓ ପ୍ରକାଶନ ସହିତ ନିଜସ୍ବ ଶତାଧିକ ପ୍ରବନ୍ଧ, ଗଳ୍ପ ଓ କବିତାଗୁଡ଼ିକର ପ୍ରାୟ ୧୦ ପୁସ୍ତକ ପ୍ରକାଶ କରିବାରେ ସକ୍ଷମ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ତାଙ୍କର ପ୍ରଯ୍ଯାପ୍ତ କବିତା ପାଠକ/ପାଠିକାମାନଙ୍କୁ ବିମୋହିତ ଓ ମନ୍ତ୍ରମୁଗ୍ଧ କରୁଅଛି । କୋଲକାତାର ପ୍ରାୟ ଦଶ ଲକ୍ଷ ଓଡ଼ିଆମାନଙ୍କର ସେ ଅତି ଶ୍ରଦ୍ଧା-ସମ୍ମାନ ଓ ପ୍ରିୟପାତ୍ର ବ୍ଯକ୍ତିତ୍ବ । ଅଧିକନ୍ତୁ ସେ ଜଣେ ସମାଜସେବୀ, ସମାଜ-ସଂସ୍କାରକ, ପରିବେଶବିତ୍ ଓ ଦେଶପ୍ରେମୀ ବ୍ଯକ୍ତିତ୍ବ । ଓଡ଼ିଶା ସରକାରଙ୍କ ସାହିତ୍ଯ-ସଂସ୍କୃତି ବିଭାଗ ଦ୍ଵାରା କୋଲକାତାରେ ମାର୍ଚ୍ଚ ଆଠ ତାରିଖରେ ଏକ ଆଡ଼ମ୍ବରପୂର୍ଣ୍ଣ ‘ଓଡ଼ିଶା ଉତ୍ସବ’ ଜାତୀୟ-ଗ୍ରନ୍ଥାଘର ଅଡିଟୋରିୟମରେ ମୁଖ୍ଯ ଅତିଥି ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ୬୫ ବର୍ଷୀୟ ଏହି ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏକ ଦିବସୀୟ ଏହି ଓଡ଼ିଶା-ଉତ୍ସବରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ମଧ୍ଯରେ ଓଡ଼ିଶା ସାହିତ୍ଯ ଏକାଡେମୀର ସଚୀବ ଶ୍ରୀ ଚନ୍ଦ୍ରଶେଖର ହୋତା, ସାହିତ୍ଯ-ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡା: ବିଜୟ କେତନ ଉପାଧ୍ୟାୟ ଇତ୍ୟାଦିଙ୍କ ସମେତ ସହସ୍ରାଧିକ ଉତ୍କଳୀୟମାନଙ୍କ ସମାବେଶରେ ଏବଂ ବିଭିନ୍ନ ଖାଦ୍ୟପେୟ ଓ ନୃତ୍ୟ-ସଂଗୀତ ମାଧ୍ୟମରେ ଓଡ଼ିଶା-ଉତ୍ସବ ମୁଖରିତ ଓ ସାଫଲ୍ଯମଣ୍ଡିତ ହୋଇଥିଲା । ପ୍ରାୟ ଏକ କୋଟି ଟଙ୍କା ବ୍ଯୟରେ ଏହି ଉତ୍ସବରେ ସାହିତ୍ୟିକମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା ଏବଂ ସାହିତ୍ୟିକମାନଙ୍କୁ ଫୁଲତୋଡ଼ା ଓ ଶସ୍ତା ଗାମୁଛା ବ୍ଯତୀତ କୌଣସି ଆର୍ଥିକ ପୁରସ୍କାର ରାଶି କିବା ମାନପତ୍ର ମଧ୍ଯ ପ୍ରଦାନ କରାଯାଇ ନ ଥିଲା, ପରନ୍ତୁ ମଞ୍ଚାସୀନ ଅତିଥିବୃନ୍ଦ ପରସ୍ପର ଦାମୀ ଉପଢୌକନ ସମ୍ଵର୍ଦ୍ଧନାରେ ଉତ୍କଳୀୟ ଅସ୍ମିତା’ର ଝଲକ ସୃଷ୍ଟି କରିଥିଲେ