ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫। ଦାଶ ବେନହୁର ପାଇଲେ ରାୟଗଡ଼ ସାହିତ୍ୟ ସମ୍ମାନ , ସାହିତ୍ୟ ଅକ୍ଷରରେ ନୁହେଁ ହୃଦୟରେ ବନ୍ଧା

ରାୟଗଡ-ଅଜୟ ରଥ -ସାହିତ୍ୟ ସଂସ୍କୃତିର ଉଚ୍ଚତର ଅଙ୍ଗ। ସ୍ଥାପତ୍ୟ ହଜିଯିବ ଓ ନଷ୍ଟ ହୋଇଯିବ। କିନ୍ତୁ ସାହିତ୍ୟ ହଜିବନି। ସବୁ ଅସ୍ଥିର କିନ୍ତୁ ଅକ୍ଷର କୀର୍ତ୍ତି ଚିରସ୍ଥାୟୀ। ସେଥିପାଇଁ ସାହିତ୍ୟ ଅକ୍ଷରରେ ନୁହେଁ ହୃଦୟରେ ବନ୍ଧା ବୋଲି ରାୟଗଡ଼ ସାହିତ୍ୟ ମହୋତ୍ସବ ଅବସରରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ୟୁଜିଏମ ଆଇଟି ସମ୍ମିଳନୀ ପ୍ରକୋଷ୍ଠରେ ସଭାପତି ଡ଼ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାୟଗଡ଼ ସାହିତ୍ୟ ମହୋତ୍ସବ 2025 ଅବସରରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଥିଲେ ଯେ ସମ୍ବେଦନା ହେଉଛି ସାହିତ୍ୟର ମୂଳ ପିଣ୍ଡ। ମାଆ ର ସ୍ୱର ହେଉଛି ସାହିତ୍ୟର ଆଦ୍ୟ ସ୍ୱର। ଯୁଗେ ଯୁଗେ ରାମାୟଣ ସତ୍ୟର, ଗୀତା ଧର୍ମର ଏବଂ ଭାଗବତ ଭକ୍ତିର କଥା କହି ଆସୁଛି। ଜଗନ୍ନାଥ ମନ୍ଦିର ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଆ ଜାତି ସଦା ସର୍ବଦା ନିଜ କଥା ନିଜେ କହି ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଡ଼ ମହାନ୍ତି ରାୟଗଡ଼ ସାହିତ୍ୟର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ମହୋତ୍ସବର ସମ୍ପାଦକ ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସାହିତ୍ୟ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମହୋତ୍ସବ ଉପଦେଷ୍ଟା ଅଶୋକ କୁମାର ଶାରଦା ଓ ଲାବଣ୍ୟ ଶବର ରାୟଗଡ଼ ସାହିତ୍ୟ ପରିବେଶ ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟିକ ଦାଶ ବେନହୁରଙ୍କୁ ସ୍ମାରକୀ, ଉପଢୌକନ ସହ ଦଶ ହଜାର ଟଙ୍କା ର ପୁରସ୍କାର ରାଶି ସହ ଚଳିତ ବର୍ଷର ରାୟଗଡ଼ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଶ୍ରୀଧର ପଟ୍ଟନାୟକ ସଂଚାଳନ କରିଥିବା ବେଳେ ସଂଗଠନ ସମ୍ପାଦକ ଡ଼ ଦ୍ଵିତୀ ଚନ୍ଦ୍ର ସାହୁ ରାୟଗଡ଼ର ଗୌରବମୟ ସ୍ବର୍ଣ୍ଣିମ ଇତିହାସ ସମ୍ପର୍କରେ ସୂଚନାପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହୋତ୍ସବର ମୁଖପତ୍ର ଶବ୍ଦ ରାଗ ଓ କବି ସଙ୍ଗୀତା ମିଶ୍ରଙ୍କ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବୟୋଜ୍ୟେଷ୍ଠ ସାହିତ୍ୟିକ ଶ୍ରୀରଙ୍ଗ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ଵିତୀୟ ପର୍ବ ଗଳ୍ପ ଅଧିବେଶନରେ ଗାଳ୍ପିକ ଶିବାଶିଷ ପାଢୀ, ଶ୍ରୀଧର ପଟ୍ଟନାୟକ ଓ ରୁପେଶ ସାହୁ ନିମନ୍ତ୍ରିତ ଗାଳ୍ପିକ ଭାବେ ଗଳ୍ପ ପଠନ ସହ ସମ୍ମାନିତ କରାଯାଇଥିଲା। ବେବିରାଣୀ ନନ୍ଦ ସଂଯୋଜନାରେ ପରିଚାଳିତ ଏହି ଆସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଗାଳ୍ପିକ ଇଂ ବିଷ୍ଣୁ ସାହୁ, ମୁଖ୍ୟ ଵକ୍ତା ଭାବେ ଚନ୍ଦ୍ରକାନ୍ତ ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବେ ରମେଶ ଟାକ୍ରୀ, ଗାଳ୍ପିକ ରବି ପଣ୍ଡା ଓ ରବି ସ୍ୱାଇଁ ଯୋଗଦେଇ ଓଡ଼ିଆ ଗପର କ୍ରମଧାରା ସମ୍ପର୍କରେ ମତ ରଖିଥିଲେ। ଲାବଣ୍ୟ ମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସାନ୍ଧ୍ୟ ଅଧିବେଶନରେ ଦକ୍ଷିଣାଞ୍ଚଳ ଆରଡ଼ିସି ସଂଗ୍ରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଚାର ସର୍ବସ୍ବ ନ ହୋଇ ନିରଳସ ସାହିତ୍ୟ ସାଧନା କରିବାକୁ ସାହିତ୍ୟିକଙ୍କୁ ବୁଝାଇଥିଲେ। ଏହି ଅବସରରେ ବିପିନ ବିହାରୀ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାର କବି ଯୋଗଦେଇ କବିତା ପାଠ କରିଥିଲେ। ଏଥିରେ କବି ପ୍ରୀତିଧାରା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ମାଧୁରୀ ପଣ୍ଡା, ରବି ଶତପଥି, ବିଜୟ ପ୍ରଧାନ ଯୋଗଦେଇ ଓଡ଼ିଆ କବିତା ଉପରେ ନିଜର ମତ ରଖିଥିଲେ। ଅରୁଣ ଲେଙ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ନିରଞ୍ଜନ ନାୟକ ଏହାକୁ ସଂଚାଳନ କରିଥିଲେ। କବି ମହାଶ୍ଵେତା ପାଣିଗ୍ରାହୀ, ସସ୍ମିତା ମିଶ୍ର, କଲ୍ୟାଣୀ ସାସମଲ, ରବି ଶତପଥି, ଅରୁଣ ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, ସସ୍ମିତା ଆଚାର୍ଯ୍ୟ, ପ୍ରଶାନ୍ତି ସାହୁ ପ୍ରମୁଖ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *