ଗଞ୍ଜେଇ ମାଫିଆ ଫେରାର , ରେଙ୍ଗାଲିରେ ଅବକାରୀ ବିଭାଗର ଚଢ଼ାଉ

ପାଟଣାଗଡ- ୧୬/୧୦ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଠାରେ ବୁଧବାର ସନ୍ଧ୍ୟା ୭ଟା ସମୟରେ ଖପ୍ରାଖୋଲ ଏବଂ ପାଟଣାଗଡ଼ ଅବକାରୀ ବିଭାଗର ସଂଯୁକ୍ତ ଟିମ ମିଶି ଚଢ଼ାଉ କରି ହାରାହାରି ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ବିଶ୍ୱସ୍ତ ସୂତ୍ର ଅନୁସାରେ ଖପ୍ରାଖୋଲ ଅବକାରୀ ବିଭାଗର ଅଧିକାରୀ ଜୟନ୍ତୀଲାଲ ପାଣ୍ଡେଙ୍କ ନେତୃତ୍ୱରେ ଏକ ଟିମ ବିଶେଷ ଅଭିଯାନ ଚଲାଇଥିଲା। ସୂଚନା ମିଳିଥିଲା ଯେ, ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ସାପ୍ତାହିକ ବଜାର ନିକଟରେ ଦୁଇ ଜଣ ବ୍ୟକ୍ତି ଗୋଟିଏ ଆର୍ଟିଗା କାର (ନଂ OD 05 AK 5286) ରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରୁଥିଲେ। ଅବକାରୀ ଟିମ ଅପରେସନ କରିବା ସମୟରେ ପାଖାପାଖି ୨୫ କେଜି ଗଞ୍ଜେଇ ଜବତ କରିଥିଲା, କିନ୍ତୁ ଦୁଇ ଜଣ ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇପାରିଥିଲେ। ଏହି ଅଭିଯାନ ସମ୍ବନ୍ଧରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତମାନଙ୍କ ଖୋଜ ଚାଲିଛି। ଜବତ ହୋଇଥିବା ୨୫ କେଜି ଗଞ୍ଜେଇର ହାରାହାରି ବଜାର ମୂଲ୍ୟ ୨.୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଏହା ସହ ଗୋଟିଏ ଆର୍ଟିଗା କାର, ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ହଜାରେ ଟଙ୍କା ନଗଦ ମଧ୍ୟ ଜବତ ହୋଇଥିବା ଅବକାରୀ ସୁପାରିଟେଣ୍ଡେଣ୍ଟ ହରିହର ଧଳ ସୂଚନା ଦେଇଛନ୍ତି। ଏହି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ଚାଲୁଥିବା ଅଭିଯାନରେ ଅବକାରୀ ବିଭାଗ ପାଇଁ ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଜନସାଧାରଣରେ ଆଲୋଚନା ସୃଷ୍ଟି ହେଉଅଛି ।

Leave a Reply

Your email address will not be published. Required fields are marked *