
ବାରିପଦା- ଉଦଳା ତା ୧୦/୧୦/୨୫( କ:ବ୍ଯୁ ) – ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମହାନ୍ତି ଏବଂ ସୌମେନ୍ଦ୍ର ବେହେରାଙ୍କ ଅକାଳ ବିୟୋଗକୁ ନେଇ ଉପଖଣ୍ଡ ସାମ୍ବାଦିକ ପରିବାର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଉପଖଣ୍ଡର ଉଦଳା, କପ୍ତିପଦା, ଗୋପବନ୍ଧୁନଗର ଏବଂ ଖୁଣ୍ଟା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ପ୍ରଥମେ ଉପସ୍ଥିତ ସମସ୍ତ ସାମ୍ବାଦିକମାନେ ଇହଧାମ ତ୍ୟାଗ କରିଥିବା ଦୁଇ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହା ପରେ ସମସ୍ତେ ଦିବ୍ୟଙ୍ଗତ ସାମ୍ବାଦିକଙ୍କ ସ୍ମୃତିଚାରଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମହାନ୍ତି ଜଣେ ଅତି ସରଳ, ମେଳାପୀ ସ୍ୱଭାବର ଲୋକ ଥିଲେ । ଏକ ଆଗଧାଡିର ଦୈନିକ ଖବରକାଗଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଆସିଥିବା ଅରୁଣ ମହାନ୍ତି କେବେ ଖବରରେ ସାଲିସ୍ କରି ନ ଥିଲେ । ଏବଂ ତାଙ୍କର ମିଷ୍ଟଭାଷା ଓ ଭଲ ବ୍ୟବହାର ପାଇଁ ସମସ୍ତଙ୍କ ପାଖରେ ବେଶ ଲୋକପ୍ରିୟ ଥିଲେ । ହେଲେ ଅଚାନକ ତାଙ୍କର ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଏହି ବୈଠକରେ ଉପସ୍ଥିତ ରହି ଶରୀର ଅସୁସ୍ଥ ଥିବା ସମୟରେ ସେ ତାଙ୍କ ସହିତ ଶେଷ କଥା ହୋଇଥିଲେ ଏବଂ ତାଙ୍କ ପରିବାରକୁ କିପରି ସରକାରୀ ସ୍ତରରେ ସହାୟତା ମିଳିପାରିବ ସେ ନେଇ ସମସ୍ତ ବ୍ୟବସ୍ଥା ସେ କରିବାକୁ ଏହି ବୈଠକରେ ସୂଚନା ଦେଇଥିଲେ । ଏହା ସହିତ ଦିବ୍ୟଗଂତ ସାମ୍ବାଦିକ ସୌମେନ୍ଦ୍ର ବେହେରାଙ୍କ ସ୍ମୃତିଚାରଣ ମଧ୍ୟ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଚ୍ଛିନୀ, ଶଶିକାନ୍ତ ମିଶ୍ର, ମାନସ ପାଣି, ସର୍ବେଶ୍ୱର ମହାପାତ୍ର, ଭାସ୍କର ବେଜ୍, ଦୀପକ କୁମାର ପରିଡା, ଦିଲ୍ଲୀପ କୁମାର କଲିଆ, କୃଷ୍ଣଚୈତନ୍ୟ ସଦୁଆଳ, ଶୁଭାଶିଷ ପତି, ତପନ କୁମାର ସେଠୀ, ଆଲୋକ ବେହେରା, ଅଭିଜିତ୍ ବେହେରା, ଅତନୁ ତ୍ରିପାଠୀ, ଦିଲ୍ଲୀପ ପରିଡା, ଶ୍ୱେତସୁନ୍ଦର ମଲ୍ଲିକ, ଦେବଦତ୍ତ ଦାସ, ଯଶୋବନ୍ତ ପରିଡା, ଅକ୍ଷୟ କର, ବସନ୍ତ ବେହେରାଙ୍କ ସମେତ ଉପଖଣ୍ଡର ବିଭିନ୍ନ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)