ବାରିପଦା-ଉଦଳା ତା୧୦/୧୦/୨୫(କ:ବ୍ଯୁ) – ଆଇନଜୀବି ଅରୁଣ କୁମାର ମହାନ୍ତିଙ୍କ ବିୟୋଗରେ ଶୁକ୍ରବାର ଦିନ ଉଦଳା ଓକିଲ ସଂଘ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଗତ କିଛି ଦିନ ଧରି ସେ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିବା ବେଳେ ଗତ ୮ ତାରିଖ ରାତିରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପରିବାର ଲୋକେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ ହେଁ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଉଦଳା ଓକିଲ ସଂଘ ପକ୍ଷରୁ ଆଇନଜୀବିମାନେ ଶୁକ୍ରବାର କୋର୍ଟ କାର୍ଯ୍ୟରୁ ନିବୃତ୍ତ ରହି ସମ୍ମାନ ପ୍ରଦର୍ଶନ କରିବା ସହିତ ଦିବା ୧୨.୩୦ ମିନିଟ୍ ସମୟରେ ଓକିଲ ସଂଘ ପକ୍ଷରୁ ବାର ଆସୋସିଏସନ ହଲରେ ଶୋକ ସଭାର ଆୟୋଜନ କରାଯାଇଥିଲା । ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା ଶୋକସଭା ପୂର୍ବରୁ ତାଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା ଏବଂ ଆମ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତତପରେ ସଭାପତି ଲମ୍ବୋଦର ବେହେରା ସ୍ମୃତି ଚାରଣ କରି ସ୍ୱର୍ଗତ ଅରୁଣ କୁମାର ମହାନ୍ତି ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଥିଲେ । ଆଇନଜୀବି ମକରନ୍ଦ ପଲେଇ, ନିକାର ମହାପାତ୍ର ପ୍ରମୁଖ ତାଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ପୁଥାଳ, ଚନ୍ଦ୍ରଶେଖର ମହାପାତ୍ର, ସୁକ୍ତା କୁମାର ସାହୁ, ଦିଲ୍ଲୀପ କୁମାର ମହାନ୍ତି, ବିଶ୍ୱଜିତ୍ ଜେନା, ବିଶ୍ୱନାଥ ଜେନା,ମୃତ୍ୟୁଞ୍ଜୟ ବେହେରା, ରବୀନ୍ଦ୍ର ସାହୁ, ହରିପ୍ରିୟା ହାଁସଦା, ଶ୍ରୀକୃଷ୍ଣ ବେହେରା, ମାନସ କୁମାର ମହାନ୍ତି, ଅମିତାଭ ବିନ୍ଧାଣୀ,ସଚ୍ଚିନ୍ଦ୍ର ପ୍ରଧାନ, ରାଜକିଶୋର ହେମ୍ବ୍ରମ୍, ବାମଦେବ ମହାନ୍ତି ନରେଶ ଲେଙ୍କା, କମଳାକାନ୍ତ ମହାନ୍ତ, ସତ୍ୟବ୍ରତ ମିଶ୍ର ପ୍ରମୁଖ ଆଇନଜୀବି ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)