ଅନ୍ତର୍ଜାତୀୟ ବିଧବା ଦିବସ : ୨୩ ଜୁନ

ପରିବାର ଏକ ଆମ୍ବଗଛ ତୁଲ୍ୟ
ଶାଖା-ପ୍ରଶାଖା ସଦସ୍ଯ,
ବଉଳ-ଫୁଲ ଓ ସ୍ବାଦିଷ୍ଟ ଆମ୍ବରେ
ସଂସାର ବୃକ୍ଷ ସରସ ।

ପିତା-ମାତା ସାଥେ ପୁତ୍ର-କନ୍ଯା ଭୋଳେ
ପତି-ପତ୍ନୀ ସୁଶୋଭନ,
ସେବା ଶୁଶ୍ରୂଷା ଓ ସ୍ନେହ ଶ୍ରଦ୍ଧା ପ୍ରୀତି
ଶୁଭ ଦାମ୍ପତ୍ଯ ଜୀବନ ।

ଗୃହକର୍ତ୍ତା ସ୍ବାମୀ ସଂସାର ଚଳାନ୍ତି
କରି ଅର୍ଥ ଉପାର୍ଜନ,
ଗୃହକର୍ତ୍ତ୍ରୀ ପତ୍ନୀ ରୋଷେଇବାସ ଓ
ଗୃହ କାର୍ଯ୍ୟ ନିର୍ବାହଣ ।

ସାଂସାରିକ ପଥ ଝଡ଼ଝଞ୍ଜାମୟ
ଅସ୍ଥିରତା ସାଂପ୍ରତିକ,
ମାନବ ଜୀବନ ବିପଦ ସଂକଟେ
ଅକାଳ ବିୟୋଗ ଶୋକ ।

ପତି ବିୟୋଗରେ ପତ୍ନୀ ଯେ’ ବିଧବା
ସଂସାର ଦୁଃଖ ପ୍ରବଳ,
ମଝି ଦରିଆରେ ସଂସାର ନଉକା
ନାବିକ ବିନା ଅଚଳ ।

ବୈଧବ୍ୟ ଯନ୍ତ୍ରଣା ଅତୀବ ଦାରୁଣ
ନିରୀହା ପତ୍ନୀ ବିକଳ,
ସର୍କାରୀ ସାହାଯ୍ଯ ସମୁଦ୍ରକୁ ପୋଷେ
ଶିକ୍ଷିତା ନାରୀ ଚଞ୍ଚଳ ।

ଆଗକାଳେ ଥିଲା ସତୀଦାହ ପ୍ରଥା
ମୋକ୍ଷ ଯେ’ ଅନ୍ଧବିଶ୍ୱାସ,
ବଙ୍ଗ ରାଜା ରାମ ମୋହନ ରାୟ ସେ’
କୁପ୍ରଥା କଲେ ବିନାଶ ।

ଏବେ ଆଧୁନିକ ସ୍ବଚ୍ଛ ସମାଜରେ
ନାରୀ ଶିକ୍ଷା ଜାଗରଣ,
ବିଧବାର ପୁନଃ ବିବାହ ସହିତ
ନାରୀମାନଙ୍କୁ ସମ୍ମାନ ।

ମାନବ ଜୀବନ କାଳ କବଳିତ
ସୁଖ-ଦୁଃଖ ହସ-କାନ୍ଦ,
ଶିକ୍ଷା-ଦୀକ୍ଷା ସାଥେ ଧୈର୍ଯ୍ଯ ଓ ସାହସେ
ସଂସାର ସୃଜେ ସାନନ୍ଦ ।

ବାତ୍ଯା-ପବନରେ ଆମ୍ବଡାଳ ଖଣ୍ଡେ
ଭାଙ୍ଗିଲେ ବି ସ୍ଥିର ବୃକ୍ଷ,
ସ୍ବାମୀ ବିୟୋଗରେ ଶିକ୍ଷତା ସବଳା
ବିଧବା ହେଲେ ବି ସକ୍ଷ ।

ଜୁନ ତେଇଶରେ ଯେ’ ଅନ୍ତର୍ଜାତୀୟ
ବିଧବା ଦିବସ ଲକ୍ଷ୍ୟ,
ନାରୀ ଶିକ୍ଷା-ଦୀକ୍ଷା ସକ୍ଷମ ବାରତା
ମହୀୟସୀର ସୂଚକ ।

ବୈଧବ୍ୟ ନୁହଁଇ ଯନ୍ତ୍ରଣା ବେଦନା
ସେ’ତ ଆହ୍ବାନ ଆଭାସ,
ସକଳ ନାରୀଙ୍କୁ ଶ୍ରଦ୍ଧା ଓ ସମ୍ମାନ
ଭଣେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *