“ବିଶ୍ୱ ରକ୍ତଦାତା ଦିବସ ପାଳିତ – ରକ୍ତଦାତା ହେଲେ ସମ୍ବର୍ଦ୍ଧିତ”

ବାରିପଦା(କ:ବ୍ଯୁ)ତା :- ୧୪/୦୬/୨୦୨୫ ରିଖ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି I ରକ୍ତ ବର୍ଗୀକରଣର ଆବିଷ୍କାରକ ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ପ୍ରତିଛବିରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା କହିଥିଲେ ଯେ ମଣିଷକୁ ଘଡିସନ୍ଧି ମୁହୂର୍ତ୍ତରେ ମୃତ୍ୟୁ ମୁଖରୁ ଅମୂଲ୍ୟ ଜୀବନକୁ ବଞ୍ଚାଇ ପୁନର୍ଜନ୍ମ ଦେଉଥିବା ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଅବଦାନ ଅତୁଳନୀୟ, ଏହି ମହତ କାର୍ଯ୍ୟ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଚଳିତ ବର୍ଷର ଅନୁଚିନ୍ତା” ରକ୍ତଦାନ କରିବା, ନୂଆ ଆଶା ଭରିବା, ସମ୍ମିଳିତ ପ୍ରୟାସରେ ପ୍ରାଣ ରକ୍ଷା କରିବା ” ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଦିନରେ ଅଧିକ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ I ସମ୍ମାନିତ ଅତିଥି ଭାବେ ଡି ଏମ ଓ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡଃ ବିଜୟ କୁମାର ଦାଶ, ଡି. ପି. ଏମ ଅନିଲ କୁମାର ମହାନ୍ତି, ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀ ନାୟକ ୫ ବର୍ଷ ମଧ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ ହାର ବଢିଥିଲେହେଁ ଆହୁରି ଅଧିକ ରକ୍ତର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହ ଉପସ୍ଥିତ ସମସ୍ତଙ୍କୁ ରକ୍ତଦାନ ଆନ୍ଦୋଳନରେ ସାମିଲ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ I ଏହି ଅବସରରେ ନିୟମିତ ରକ୍ତଦାନ କରୁଥିବା ୧୪ ଜଣ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜନ କରି ୮୦ ଅଧିକ ରକ୍ତ ସଂଗ୍ରହ କରିଥିବା ୧୫ ଟି ଅନୁଷ୍ଠାନକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ସମସ୍ତେ ସ୍ବେଛାକୃତ ଭାବେ ବିନା କୌଣସି ପାରିଶ୍ରମିକରେ ସଦା ସର୍ବଦା ରକ୍ତଦାନ କରି ନୂତନ ପୀଢ଼ି ମଧ୍ୟରେ ନୂଆ ଆଶାର ସଂଚାର କରିବା ଉଦ୍ଦେଶ୍ୟରେ ଶପଥ ପାଠ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *