ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ର ସାଧାରଣ ବୈଠକ l

ନବରଙ୍ଗପୁର : (ଅନିଲ ପ୍ରଭାତ ଭତ୍ରା ):- ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ସୋସାଇଟିର ସାଧାରଣ ବୈଠକ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ନବରଙ୍ଗପୁର ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ମାନବ ସେବାହିଁ ମାଧବ ସେବା, ସେବା ହିଁ ରେଡ଼କ୍ରସର ଆଦ୍ୟ ଆଦର୍ଶ ସମାଜରେ ଦୁଃଖୀ ଓ ଦରିଦ୍ରଙ୍କ ର ସେବା ପାଇଁ ରେଡ଼କ୍ରସ ସର୍ବଦା ହାତ ବଢ଼ାଇ ଥାଏ । ଏହା ଶାନ୍ତି, ମୈତ୍ରୀ ଓ ପ୍ରୀତିରେ ବିଶ୍ୱାସ କରିବା ସହ ସମାଜରେ ମାନବିକତା ପ୍ରତିଷ୍ଠା ପାଇଁ ପାରିପାର୍ଶ୍ବିକ ବୁଝାବଣା, ସହଯୋଗ ଓ ବନ୍ଧୁତ୍ୱ ବୃଦ୍ଧି କରିଥାଏ । ସ୍ବେଚ୍ଛାକୃତ ସେବା ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜନ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ଏଠି ବାଧ୍ୟ ବାଧକତା ନାହିଁ,ବରଂ ରହିଛି ମଣିଷ ହୃଦୟରୁ ଉତୁରି ଆସୁଥିବା ସ୍ବେଚ୍ଛାକୃତ ସେବାର ମହାନ ପ୍ଲାବନ ।
ଦ୍ବିତୀୟତଃ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ୨୦୨୪-୨୦୨୫ ମସିହା ର ଆୟ ଓ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ , ତାହା ସର୍ବସନ୍ନମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା । ଜିଲ୍ଲା ର ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଶାନୁରୂପ ଶତପ୍ରତିଶତ ରେଡକ୍ରସ ପାଣ୍ଠି ପ୍ରଦାନ କରି ଥିବାରୁ ଜିଲ୍ଲାପାଳ ଡଃ ମହାପାତ୍ର ଖୁସି ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀ ମାନେ ନିର୍ଦ୍ଧାରିତ ଆଶାନୁରୂପକ ରେଡ଼କ୍ରସ ପାଣ୍ଠି ଜମା କରିନାହାନ୍ତି ଅତିଶୀଘ୍ର ଜିଲା ଜରୁରୀ କାଳୀନ ବିଭାଗ ରେ ପାଣ୍ଠି ପଇଠ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜୀବନ ରେଡକ୍ରସ ସଭ୍ୟ ସଂଖ୍ୟା ଆଶାନୁରୂପକ ଭାବେ ବୃଦ୍ଧି ହୋଇ ନ ଥିବାରୁ ଜିଲ୍ଲାପାଳ ଗୃହରେ କ୍ଷୋଭ ପ୍ରକାଶ କରି ଥିଲେ l ରେଡ଼କ୍ରସ ପାଣ୍ଠି ର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନବରଙ୍ଗପୁର ଆଦିତ୍ୟ ସେନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀକାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ପ୍ରକଳ୍ପ ପ୍ରଶାସକ ପି ଏ ଆଇ ଟି ଡିଏ ରାଜୀବ କୁମାର ସାହୁ, ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ରାଧାଶ୍ୟାମ ଲାଇକ, ଅବକାରୀ ଅଧିକ୍ଷକ ନବରଙ୍ଗପୁର ପ୍ରତାପ କୁମାର ଦାସ, ନିର୍ବାହୀ ଅଧିକାରୀ ପୌର ପରିଷଦ ନବରଙ୍ଗପୁର ସମରେଶ ମହାନ୍ତି, ନିର୍ବାହୀ ଅଧିକାରୀ ପୌର ପରିଷଦ ଉମରକୋଟ ଆଲୋକ କୁମାର ଅନୁଗୁଳିଆ, ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ପଟ୍ଟନାୟକ ଙ୍କ ସହ ଜିଲ୍ଲାର ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କର ଅଧକ୍ଷ ଏବଂ ଅଧକ୍ଷ୍ୟା, ଜିଲ୍ଲା ସ୍ତରୀୟ ଅଧିକାରୀ ,ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ରେ ଜିଲ୍ଲା ଜରୁରୀକାଳୀନ ଉପ ବିଭାଗ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ | ଈଂ.ଚନ୍ଦନା ମଲ୍ଲିକ ଏହି ବୈଠକ କୁ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *