ରାୟଗଡ଼ା ଜିଲ୍ଲାରେ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ରୋକିବାରେ ବିଫଳ ଜିଲ୍ଲା ପ୍ରଶାସନ , ବିଳମ୍ବରେ ହେଲେବି ପ୍ରଶାସନ ମାନିଛି ଯେ ବେନିୟମ ପୋଷ୍ୟ ସନ୍ତାନ ହସ୍ତାନ୍ତର ମାଧ୍ୟମରେ ଶିଶୁ ବିକ୍ରି ହୋଇଛି

ରାୟଗଡ଼ା, ତା ୭/୦୫/୨୦୨୫: ରାୟଗଡ଼ା ଜିଲ୍ଲାର ଜେକେ ପୁର ଚାନ୍ଦିଲି ଥାନା ଓ ଡମ୍ବସରା ଗୁଣୁପୁର ଥାନାରେ ଶିଶୁ ବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନର ସଚିବ, ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ କାହାକୁ ବି ଦାୟି ନକରି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ହେତୁ କମିଟି ରାୟଗଡ଼ା ବିଧାୟକ ଆପ୍ପାଲାସ୍ୱାମି କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜଣାଇଥିଲେ ଗତ ବର୍ଷ ଡିସେମ୍ବର ମାସରେ । ମାନ୍ୟବର ବିଧାୟକ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ତଥାପି କାର୍ଯ୍ୟକ୍ରମ ଶୁନ ।

ତୀବ୍ର ଆର୍ଥିକ ଅଭାବ ଅନଟନ ହେତୁ ନୂଆପଡା-ଜେକେ ପୁରରେ ଶିଶୁଟି ବିକି ୨୦୦୦୦ ଟଙ୍କା ପାଇଛନ୍ତି ତାର ଦଳିତ ବର୍ଗର ପିତାମାତା । ଜିଲ୍ଲାର ଶିଶୁ ସୁରକ୍ଷା ବିଭାଗ ଉକ୍ତ ଶିଶୁକୁ ଉଦ୍ଧାର କଲାପରେ ମିଛ ନଥିପତ୍ର ତିଆରି କରିବାକୁ ଶିଶୁ ମଙ୍ଗଳ କମିଟିକୁ ବାଧ୍ୟ କରିଥିଲେ ମଧ୍ୟ କମିଟି ତାକୁ ପ୍ରତ୍ୟାଖାନ କରି ସରକାରୀ ନିୟମକୁ ପାଳନ କରିଛନ୍ତି । ସରକାର ସେଇ ପରିବାରକୁ ରାସନ୍ କାର୍ଡ ଗତ ଜାନୁଆରୀ ମାସରେ ଦେଇଛନ୍ତି କିନ୍ତୁ ୨୦୧୬ ମସିହାରୁ ଦିଆଯାଇଛି ବୋଲି ଉଲ୍ଲେଖ କରିଛନ୍ତି ଯେତେବେଳେ କି ଆଧାର କାର୍ଡ ଅନୁସାରେ ସେଇ ଦଳିତ ମାଆର ବୟସ ଥିଲା ମାତ୍ର ୧୨ ବର୍ଷ(ଜନ୍ମ ୨୦୦୪ ମସିହା) ଓ ସେଇ କାର୍ଡ ରେ ସେ ବିବାହିତ ବୋଲି ଲେଖା ହୋଇ ତାର ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି । ଜିଲ୍ଲା ପ୍ରଶାସନ ତାର ଗୋଟିଏ ଭୁଲ୍ କୁ ଚପାଇବାକୁ ଯାଇ ବାରମ୍ବାର ଗହିର୍ତ ଭୁଲ୍ କରିଚାଲିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଜିଲ୍ଲା ପ୍ରଶାସନ ଜେକେ ପୁର ର ଏହି ଶିଶୁ ବିକ୍ରି ସମ୍ବନ୍ଧରେ ୧୨.୧୧.୨୦୨୫ ରୁ ଅବଗତ ଥିଲେ କାରଣ ସେଠାର ଅଙ୍ଗନୱାଡ଼ି କର୍ମୀ ଶିଶୁ ବିକ୍ରୀ ସମ୍ବନ୍ଧରେ ଏ ଏନ୍ ଏମ୍ ଓ ଆଇ ସି ଡି ଏସ ପରିଦର୍ଶିକା ଙ୍କୁ ଜଣାଇଥିଲେ ଓ ସେମାନେ ଡାକ୍ତର ଓ ସିଡିପିଓ ଙ୍କୁ ଜଣାଇଥିଲେ । ଚାଇଲ୍ଡ ହେଲ୍ପଲାଇନ ମଧ୍ୟ ଶିଶୁ ସୁରକ୍ଷା କାର୍ଯ୍ୟାଳୟ(ଡିସିପିଓ)କୁ ୧୪.୧୧.୨୫ ରେ ଜଣାଇଥିଲେ । ଏସବୁ ଜାଣି ମଧ୍ୟ ଚୁପ୍ ବସିଥିଲା ଜିଲ୍ଲା ପ୍ରଶାସନ । ଏବେ ଔଷଧ ବଦଳରେ ତାଟିଆ କାମୁଡୁଛି ଜିଲ୍ଲା ପ୍ରଶାସନ ଯିଏ କି ଏହି ଶିଶୁ ବିକ୍ରିରେ ସମ୍ପୂର୍ଣ୍ଣ ଭାବେ ଦାୟୀ ।

୧୯-୧୧-୨୦୨୪ ରେ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଲା, ମୁଖ୍ୟତଃ କଲ୍ୟାଣ ଏବଂ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ସହିତ ସମ୍ଭାବ୍ୟ ପ୍ରଶାସନିକ ତ୍ରୁଟିକୁ ଉଜାଗର କରି । କଲେକ୍ଟରଙ୍କ ଦ୍ୱାରା କାରଣ ଦର୍ଶାଅ ନୋଟିସ ଜାରି କରିବା ଏବଂ CWC ଭାଙ୍ଗିବା ପାଇଁ ଚାପ ପକାଇବା ଶିଶୁ କଲ୍ୟାଣ ବିଷୟରେ ପ୍ରକୃତ ଚିନ୍ତା ଅପେକ୍ଷା ବ୍ୟକ୍ତିଗତ ଅଭିଯୋଗ ଦ୍ୱାରା ପ୍ରେରିତ ମନେହୁଏ । ଜନସାଧାରଣଙ୍କ ପ୍ରତିକ୍ରିୟାକୁ ପ୍ରଶମିତ କରିବା ପାଇଁ, କଲେକ୍ଟର ଏବଂ ସବ-କଲେକ୍ଟର CWCକୁ ବଳିର ବକ୍ରି କରିଛନ୍ତି, ଯାହା ଏହି ଧାରଣା ସୃଷ୍ଟି କରିଛି ଯେ ତ୍ରୁଟିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ କମିଟିର ଦୋଷ ଥିଲା । ତାଙ୍କ କାର୍ଯ୍ୟାଳୟର ଭୂମିକା ଉପରେ ଆତ୍ମନିରୀକ୍ଷଣ କରିବା ପରିବର୍ତ୍ତେ, କଲେକ୍ଟର ତୁରନ୍ତ CWC ର ବିଫଳତା ଭାବରେ ଦର୍ଶାଇଲେ । ଏପରି କାର୍ଯ୍ୟ CWCକୁ ବଦନାମ କରିବା ସହିତ ନିଜ ପ୍ରତିଷ୍ଠାକୁ ରକ୍ଷା କରିବାର ଏକ ପ୍ରୟାସକୁ ସୂଚିତ କରେ । ଏହା ବ୍ୟତୀତ, କଲେକ୍ଟର ଶିଶୁକୁ ସୁରକ୍ଷା ଦେବା ପାଇଁ ଶୀଘ୍ର ସଂଶୋଧନମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ଏହି ପ୍ରସଙ୍ଗକୁ ଏକ ଅମଲାତାନ୍ତ୍ରିକ ଦୋଷ ଖେଳରେ ପରିଣତ କଲେ । କଲେକ୍ଟରଙ୍କ କାର୍ଯ୍ୟ ପ୍ରତିଶୋଧମୂଳକ ମନେହୁଏ, ଗୁରୁତ୍ୱପୂର୍ଣ୍ଣ ଶିଶୁ କଲ୍ୟାଣ ସମସ୍ୟା ସମାଧାନ କରିବା ଅପେକ୍ଷା ଆତ୍ମ-ସଂରକ୍ଷଣକୁ ପ୍ରାଥମିକତା ଦେଉଛି । CWCକୁ ଟାର୍ଗେଟ କରି, କଲେକ୍ଟର DCPU ତଦାରଖ କରିବାରେ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାରେ ନିଜର ବିଫଳତାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରିଛନ୍ତି, ପ୍ରକ୍ରିୟାରେ ଅନାବଶ୍ୟକ ପ୍ରଶାସନିକ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ।

ଅନୁସୂଚିତ ଜାତିର ମାଆଙ୍କୁ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ନକରି ନିଜ ପ୍ରଶାସନିକ ବିଫଳତାର ଦୋଷକୁ ଏଡାଇବା ପାଇଁ କଲେକ୍ଟର ସିଡବ୍ଲୁସିକୁ ଦୋଷ ଦେଉଛନ୍ତି । ସମାଲୋଚନାରୁ ସେମାନଙ୍କ କାର୍ଯ୍ୟାଳୟକୁ ରକ୍ଷା କରିବା ପାଇଁ ଜନସାଧାରଣ ଏବଂ ଗଣମାଧ୍ୟମ ଯାଞ୍ଚ ସିଡବ୍ଲୁସି ଉପରେ ନ୍ୟସ୍ତ କରନ୍ତୁ ବୋଲି ଚାଲ ଖେଳିଛନ୍ତି । ସିଡବ୍ଲୁସିର ବିଶ୍ୱସନୀୟତାକୁ ଦୁର୍ବଳ କରିବା, ଏହାର ସ୍ୱାୟତ୍ତତା ହ୍ରାସ କରିବା ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥାରେ ଥିବା ପଦ୍ଧତିଗତ ଫାଙ୍କରୁ ଧ୍ୟାନ ହଟାଇବା ପାଇଁ ତାଙ୍କର ଅପଚେଷ୍ଟା । ଜିଲ୍ଲା ପ୍ରଶାସନ ମଧ୍ୟରେ ଦାୟିତ୍ୱହୀନତାର ଅଭାବ ଏବଂ ସିଡବ୍ଲୁସିକୁ ଅନ୍ୟାୟ ଭାବରେ ଟାର୍ଗେଟ କରିବା ପାଇଁ ଜାଣିଶୁଣି କ୍ଷମତାର ଅପବ୍ୟବହାର କରିଛନ୍ତି ।

ଠିକ୍ ସେଇଭଳି ଗୁଣୁପୁର ପୁଟାସିଂ ଅଞ୍ଚଳର ଏକ ନାବାଳିକା ଆଦିବାସୀ ମାଆର ଶିଶୁକୁ ଡମ୍ବସରା ଅଞ୍ଚଳରେ ଏକ ସନ୍ତାନହୀନ ଦମ୍ପତିଙ୍କୁ ବିକ୍ରୀ କରାଯାଇଛି । ଗୁଣୁପୁର ସିଡିପିଓଙ୍କ ରିପୋର୍ଟ କହୁଛି ପିଲାଟି ପୁଟାସିଂ ଅଞ୍ଚଳରେ ଜନ୍ମ ହୋଇଛି ଏକ ନାବାଳିକା ମାଆଙ୍କ ଗର୍ଭରୁ । କିନ୍ତୁ ଗୁଣୁପୁର ଡାକ୍ତର କହୁଛନ୍ତି ସେଇ ପିଲାଟି ଗୁଣୁପୁର ଡାକ୍ତରଖାନାରେ ଆଉ ଜଣେ ମାଆଙ୍କ ଗର୍ଭରୁ ଜନ୍ମ ହୋଇଛି । ଆଶ୍ଚର୍ଯ୍ୟର କଥା ଏହିଯେ ଉକ୍ତ ଶିଶୁଟି ଦୁଇଥର ଦୁଇଟି ଭିନ୍ନ ଭିନ୍ନ ତାରିଖରେ ଜନ୍ମ ହୋଇଛି । ଏହି ଜିଲ୍ଲାପାଳଙ୍କ କାରଜ୍ୟକାଳ ସମୟରେ ଜିଲ୍ଲାରେ ବହୁ ନାବାଳିକା(ପ୍ରାୟ ୬୫ ରୁ ଅଧିକ) ବିବାହପରେ ସନ୍ତାନ ଜନ୍ମ କରି ଜିଲ୍ଲାର ବାଲ୍ୟ ବିବାହ ଅଭିଯାନକୁ ହାସ୍ୟାସ୍ପଦ ପ୍ରମାଣିତ କରିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଜଣାଇଲା ପରେ ବି କାର୍ଯ୍ୟକ୍ରମ ଶୁନ । ଜିଲ୍ଲା ପ୍ରଶାସନ ଜାଣତରେ ଶିଶୁ ବିକ୍ରୀ ରାକେଟ୍ ଅତି ସକ୍ରିୟ ଅଛି । ଏବିଷୟରେ ଗୁଣୁପୁର ବିଧାୟକ, ବିଭାଗୀୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଛି ଶିଶୁ ମଙ୍ଗଳ କମିଟି । ଅଭାବ ଅନଟନ ପାଇଁ ଯେଉଁଭଳି ଭାବେ ଶିଶୁ ବିକ୍ରୀ ହୋଇଛି, ସେଥିପାଇଁ ମୁଖ୍ୟତଃ ଜିଲ୍ଲା ପ୍ରଶାସନ ହିଁ ଦାୟୀ ।

ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ସରକାରୀ ଶିଶୁ ସୁରକ୍ଷା ବିଭାଗ(ଡିସିପିଓ) ବହୁ ଆର୍ଥିକ ଅନିୟମିତତାରେ ଜଡ଼ିତ ଥିବାରୁ କିଛି କର୍ମଚାରୀଙ୍କୁ ବରଖାସ୍ତ କରି ଚୁପ୍ ରହିଛି ପ୍ରଶାସନ । କେଉଁ କାରଣରୁ ୩/୪ ଜଣଙ୍କୁ ବରଖାସ୍ତ କରାଗଲା ତାହା ଅନୁସନ୍ଧାନ ସାପେକ୍ଷ ।

ଯେହେତୁ ଶିଶୁ ମଙ୍ଗଳ କମିଟି, ଯାହାକି ସରକାରୀ ସାହାଯ୍ୟପ୍ରାପ୍ତ ଏକ ସ୍ଵୟଂ ଶାସିତ ଅନୁଷ୍ଠାନ ଓ ଏହାର ସଦସ୍ୟଗଣ ଜଜ୍ ପାହ୍ୟାର କିନ୍ତୁ ସରକାରୀ ଚାକିରିଆ ନୁହନ୍ତି, ଜିଲ୍ଲା ପ୍ରଶାସନର ଏସବୁ ଦୁର୍ନୀତିର ପର୍ଦ୍ଦାଫାଶ କରିବାରୁ ସେଇ କମିଟିକୁ ଭାଙ୍ଗି ଦେବାକୁ ଜିଲ୍ଲାପାଳ ସୁପାରିଶ କରିଛନ୍ତି । ନିଜ ଦୋଷକୁ ଅନ୍ୟ ଉପରକୁ ଠେଲି ଦେଉଛନ୍ତି । ତଦନ୍ତକାରୀ ଅଧିକାରୀ ସୁଶ୍ରୀ ମନିଷା ବାନାର୍ଜୀ, ଆଇ ଏ ଏସ୍, ରାୟଗଡ଼ା ଜିଲ୍ଲାପାଳଙ୍କ ସମସାମୟିକ, ସେ ପ୍ରଭାବିତ ଥିବାଭଳି ମନେହୁଏ । ସୁଶ୍ରୀ ବାନାର୍ଜୀ ମଧ୍ୟ ରାୟଗଡ଼ା ଜିଲ୍ଲାପାଳଙ୍କ ଭାଷା କହି କମିଟିକୁ ଦୋଷାରୋପ କରିଛନ୍ତି ତାଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ । ଯଦିଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ମାନଙ୍କ ସଦସ୍ୟତା ସମାପ୍ତ କାରାଯାଇଛି, ସେମାନେ ନିଲମ୍ବିତ ଓ ବହିସ୍କୃତ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ବହୁଳ ପ୍ରଚାର କରି ଗଣମାଧ୍ୟମକୁ ଭ୍ରମିତ କରିଛନ୍ତି ।

ଏହି ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ଗୁଡ଼ିକ ସରକାରଙ୍କ ବିଫଳତା । କିନ୍ତୁ ପ୍ରଶାସନ ତନ୍ତ୍ର ଏବର ଶାସନ ତନ୍ତ୍ର ମୋହନ ସରକାରଙ୍କୁ ବଦନାମ୍ କରିବାରେ ବୋଧହୁଏ ବଦ୍ଧ ପରିକର । ତେଣୁ ପ୍ରଶାସନର ଏପରି ପ୍ରତିଶୋଧମୂଳକ ତଥା କୁଟଚକ୍ରାନ୍ତ କାର୍ଯ୍ୟ ପାଇଁ ଆଇନର ଆଶ୍ରୟ ନିଆଯିବ ଓ ପୁଣି ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯିବ ଏବଂ ଶେଷରେ ସତ୍ୟର ଜୟ ଓ ପାପର କ୍ଷୟ ହେବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ।

Leave a Reply

Your email address will not be published. Required fields are marked *