
ଜନ ସମାଜରେ ପୁସ୍ତକ ଭୂମିକା
ସର୍ବୋଚ୍ଚ ଗୁରୁତ୍ୱପୂର୍ଣ୍ଣ,
ବହି ବିନା ଜନ ସମାଜ ବ୍ଯବସ୍ଥା
ଅଚଳ ସଙ୍ଗେ ସମାନ ।
ଶିକ୍ଷା ବ୍ଯବସ୍ଥାଠୁ ସମ୍ବିଧାନ ଯାଏ
ଇତିହାସଠୁ ବିଜ୍ଞାନ,
ଅତୀତ ଅଧୁନା ଭବିଷ୍ୟତ ସେତୁ
ପୁସ୍ତକର ମୂଲ୍ଯାୟନ ।
ବେଦ-ପୁରାଣଠୁ ରାମାୟଣ ଗୀତା
ମହାଭାରତ ପୁସ୍ତକ,
ଧର୍ମ-ଶାସ୍ତ୍ରଠାରୁ ସଂପ୍ରତି ରଚନା
ଆଧ୍ୟାତ୍ମିକ ସାମାଜିକ ।
ଦେଶ ବିଦେଶରେ ବିଭିନ୍ନ ଭାଷାରେ
ପୁସ୍ତକମାନ ପ୍ରକାଶ,
ଐତିହ୍ଯ ସଂସ୍କୃତି ଭୌଗୋଳିକ ସ୍ଥିତି
ପ୍ରକଟେ ସତ୍ଯ ରହସ୍ଯ ।
କୋଟି କୋଟି ବହି ଛପା ଯାଇଅଛି
କୋଟିଏ ପ୍ରାୟ ଲେଖକ,
ଭଲ ଅବା ଭେଲ ବହି ମୂଲ୍ଯାଙ୍କନ
ସମୀକ୍ଷାୟନେ ପାଠକ ।
ଭଲ ବହି ଜନ ଚରିତ୍ର ଗଠନ
ଲେଖକ ଶ୍ରଦ୍ଧାଭାଜନ,
ଭଲ ବହି ସୃଜେ ଆଦର୍ଶ ସମାଜ
ଉତ୍ତମ ଚାଲିଚଳନ ।
ଲେଖକୀୟ ଧର୍ମ ଲେଖାଲେଖି କର୍ମ
ଲେଖାର ଗ୍ରନ୍ଥ ସୃଜନ,
ଅନେକ ଲେଖକ ନିଜସ୍ବ ପୁସ୍ତକ
ଆଗ୍ରହୀ ପୁନଃ ଲିଖନ ।
ସଂଶୋଧନ ଅବା ପୁନଃ ପ୍ରକାଶନ
ଲେଖକୀୟ ଅଧିକାର,
ଚିତ୍ର କି ସଙ୍ଗୀତ ପୁସ୍ତକ ରଚନା
କପି-ରାଇଟ ସୁଧାର ।
ପ୍ରବନ୍ଧ ନିବନ୍ଧ ଗଳ୍ପ ଉପନ୍ୟାସ
କବିତା ଅବା ନାଟକ,
ଭବ୍ଯ ପ୍ରକାଶନ ଶୁଭ ସଂକଳନ
ସାହିତ୍ୟାୟନେ ପୁସ୍ତକ ।
ସମାଜର ଚିତ୍ର ଶୋଭିତ ମଣ୍ଡିତ
ଚର୍ଚ୍ଚିତ ସମାଲୋଚିତ,
ବର୍ଣ୍ଣନା ବୈଦୂର୍ଯ୍ଯେ ପୁସ୍ତକ ମହକେ
ସ୍ପନ୍ଦିତ ପାଠକ ଚିତ୍ତ ।
ପାଠକ ଲେଖକ ବହି ପ୍ରକାଶକ
ପ୍ରୋତ୍ସାହନେ ଜାତିସଂଘ,
ବିଶ୍ବ ସୁପ୍ରସିଦ୍ଧ ଲେଖକ ସ୍ମରଣେ
ଦିବସୋତ୍ସବ ଉତ୍ସର୍ଗ ।
ଊଣେଇଶ ଶହ ପଞ୍ଚାନବେ ସାଲ
ଅପ୍ରେଲ ମାସ ତେଇଶ,
ପ୍ୟାରିସରେ ଶୁଭ ଯେ’ ଅୟମାରମ୍ଭ
ବୋଲେ ଶମ୍ଭୁନାଥ ଦାସ ।