
ଛତ୍ରପୁର : ୧୬.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର: ଆଜିର ଛାତ୍ର ଭବିଷ୍ୟତର ଭାଷା ସୁରକ୍ଷାର ପ୍ରହରୀ’’ ଏହି ବାର୍ତ୍ତା ନେଇ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ସହଯୋଗରେ ମହା ବିଷୁବ ମିଳନ ଓ କବିତା ପାଠୋତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଡକ୍ଟର ତ୍ରିପାଠୀ କହିଥିଲେ ଆଜିର ଏ ସଭା ବର୍ତ୍ତମାନ ତଥା ଭବିଷ୍ୟତର ନୂତନ ପିଢିଙ୍କ ଲାଗି ଆଲୋକ ବର୍ତ୍ତିକା ହେଉ । ଏଥି ସହିତ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପୁନରୁତ୍ଥାନ ଏବଂ ବିକାଶ ଦିଗରେ ଆଜିଠାରୁ ପ୍ରଗତୀର ପଥରେ ଅଗ୍ରସିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଆହ୍ୱନ ଦେଇଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଛତ୍ରପୁର ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ ବା କମ୍ୟୁନିକେସନର ଅତ୍ୟାଧୁନିକ ତଥା ବିକଶିତ ରୂପ ସଂପର୍କରେ ବିଶେଷ ଆଲୋଚନା କରିବା ସହିତ ଇଣ୍ଟରନେଟ ମାଧ୍ୟମରେ ହେଉଥିବା ଠକେଇ ପ୍ରତି କିପରି ସତର୍କ ହେବାକୁ ହେବ ତାହା ଦର୍ଶାଇଥିଲେ । ଛତ୍ରପୁର ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଭାଷା ବିକାଶ ତଥା ସାହିତ୍ୟ ଓ ସଂସ୍କୃତିର ବିଜୟୋତ୍ସବରେ ନିଜକୁ ସାମିଲ କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏହି ସଭାରେ ଶ୍ରୀ ତୁଳସୀରାମ ମେହେର, ଶ୍ରୀ ଦିଲିପ୍ କୁମାର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ । ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ହୋଇଥିବା ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭାର ଅନ୍ତିମ ପର୍ଯ୍ୟାୟରେ ଛତ୍ରପୁର ସାହିତ୍ୟ ସଂସଦର ସଦସ୍ୟ ଏବଂ ମହାବିଦ୍ୟାଳୟର ଛାତଛାତ୍ରୀମାନେ କବିତା ପାଠ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସଭା ଶେଷରେ ଅଧ୍ୟାପିକା ଡକ୍ଟର ସୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।