



ରାୟଗଡ : ପାଟଣାଗଡ ଠାରେ ଥିବା ବିଜୁ ପ୍ରତିମୂର୍ତିରେ ନିଆଁ ଲଗାଇ ଜାଳିବା ପ୍ରତିବାଦରେ ଆଜି ଅପରାହ୍ଣ ୫ ଘଂଟିକା ସମୟରେ ରାୟଗଡ କପିଳାସ ଛକରେ ବିକ୍ଷୋବ ପ୍ରଦର୍ଶନ କରିଛି ରାୟଗଡା ବିଜୁ ଜନତା ଦଳ । ରାୟଗଡା ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋବରେ ବିଜେପି ଉପରେ ଗର୍ଜିଛନ୍ତି ଜିଲ୍ଲା ସଭାପତି ଏନ. ଭାସ୍କର ରାଓ । ଭାସ୍କର ରାଓ କହିଛନ୍ତି ଯେ ଓଡ଼ିଆ ଅସ୍ମିତା କଥା କହୁଥିବା ଓ ଓଡ଼ିଆ ସ୍ୱାଭିମାନର କଥା କହୁଥିବା BJP ସରକାର ଇଏ କି ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ଜନ୍ମ ଦିନ ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରୁ ମୁଣ୍ଡ କାଟି ନେଇଗଲେ । ବର୍ତ୍ତମାନ ୨ ଦିନ ପରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ । ଶ୍ରାଦ୍ଧ ଦିବସ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂହଦେଓଙ୍କ ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ନିଆଁ ଲଗେଇ ଦେଲେ। ଯିଏ ଓଡ଼ିଆ ଅସ୍ମିତାର ପ୍ରତୀକ, ଯିଏ ଓଡ଼ିଆ ସ୍ୱାଭିମାନର ପ୍ରତୀକ ତାଙ୍କୁ ଇଏ କିପ୍ରକାର ନ୍ୟାୟ । ବର୍ତ୍ତମାନ ବିଜେପି ସରକାର ବିଜୁ ବାବୁଙ୍କ ନାଁରେ ଥିବା ସମସ୍ତ ଯୋଜନାକୁ ନାଁ ବଦଳେଇ ଦେଉଛି । ରଙ୍ଗ ମାରି ନିଜ ଯୋଜନା କହୁଛି ଏହି ସରକାର। ଲୋକଙ୍କ ମନରୁ ବିଜୁ ବାବୁଙ୍କ ନାଁ ଲିଭେଇବା ପାଇଁ ଚେଷ୍ଟା କରୁଛି ଏହି ବିଜେପି ସରକାର । ତାହା କେବେଭି ହବନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ଏନ. ଭାସ୍କର ରାଓ । ଯଦି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତାହାହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ବଡ ଧରଣର ଆନ୍ଦୋଳନ କରିବ ଏବଂ ଏହାର ଉଚିତ ଜବାବ ଦିଆଯିବ । ତାସହିତ ଯେଉଁ ଦୋଷୀ ଧାରା ଯାଇଛି ସେ ମାନସିକ ବିକୃତିର ଲୋକ ବୋଲି ପୋଲିସ କହୁଛି । ଏହା ସମ୍ପୂର୍ଣ ମିଥ୍ୟା ଅଟେ । ଏହା କହି ବିଜେପି ଖସିଯିବା ପାଇଁ ଚେଷ୍ଟା କରୁଛି ବୋଲି ଭାସ୍କର ରାଓ ଅଭିଯୋଗ କରିଛନ୍ତି। ଏହି ବିକ୍ଷୋବ ବେଳେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ସମସ୍ତ କାଉଁସିଲର, ପୌର ଅଧକ୍ଷଙ୍କ ସହିତ ବିଜୁ ଜନତା ଦଳର ମହିଳା ଓ ଯୁବ ଦଳର ଶହ ଶହ କର୍ମୀ ଯୋଗଦେଇଥିଲେ।