ହେ ନୂଆବର୍ଷ

ହେ ନୂଆବର୍ଷ !
ପ୍ରୀତିର ସୁରଭି ହୃଦୟରେ ଭରି
ପୃଥିବୀକୁ ତୁମେ କର ପ୍ରବେଶ… ।0।

ହାତରେ ଧରିଛୁ କେତେ ରଙ୍ଗ ଫୁଲ
ଓଠରେ ଭରିଛୁ ପୁଲକ ହସ,
ସଜାଡ଼ି ରଖିଛୁ ମକର ଚାଉଳ
ଚଖେଇବୁ ଆମ୍ଭେ ହୋଇ ହରସ
ହେ ନୂଆବର୍ଷ…. ।୧।

ପବିତ୍ର ତ୍ରିବେଣୀ ଗଙ୍ଗା ବୈତରଣୀ
ନଦୀରେ ସରବେ କରିଣ ସ୍ନାନ,
ଆକାଶ ବକ୍ଷରେ ଗୁଡ଼ି ଉଡ଼େଇଣ
ଖେଳିବୁ ତୋ’ ସାଥେ ଭରିଣ ମନ
ହେ ନୂଆବର୍ଷ….. ।୨।

ପୁରୁଣା ବର୍ଷର କଳା ଇତିହାସ
ଧଳା-ଚାଦରରେ କରିଛୁ ନାଶ,
ଫୁଲ ପାଖୁଡ଼ାରେ ଅତର ଢାଳିଛୁ
କବିତା ଲେଖିଛୁ ଭାରି ସରସ
ହେ ନୂଆବର୍ଷ…. ।୩।

ମା’ ବୀଣାପାଣି ପାଶେ ଆମ୍ଭ ଅଳି
ନୂଆ ବରଷରେ ନୂଆ ଆଶିଷ,
ଶାନ୍ତି-ମୈତ୍ରୀ-ପ୍ରୀତି ଜାତୀୟ-ସଂହତି
ପୁଲକିତ ହେଉ ଜନ-ମାନସ
ହେ ନୂଆବର୍ଷ …. ।୪।

Leave a Reply

Your email address will not be published. Required fields are marked *