
ମାଆ ମାତୃଭାଷା ମାତୃଭୂମି ମୋର
ମୌଳିକତା ପରିଚୟ,,
ତାହାପରେ ଅନ୍ଯ ଭାଷା ଭୂମି ରାଷ୍ଟ୍ର
ଯୌଗିକତା ଭାବମୟ ।
ମାତା ଔରସରୁ ଭୂମି ସ୍ପର୍ଶ ମାତ୍ରେ
ମା’…ଆ’…ଧ୍ବନି ମୋ’ ରୋଦନ,
ତା’ପରେ ମଧୁର ଶଙ୍ଖ-ଧ୍ବନି ବାୟୁ-
ମଣ୍ଡଳରେ ସୁ-ଶ୍ରବଣ ।
ଏନ୍ତୁଡ଼ିଶାଳର ଘସି-ନିଆଁ ମୋର
ଦେହକୁ କରିଛି ଶକ୍ତ,
ମାତୃଭୂମି ପାରି- ପାର୍ଶ୍ବିକ ଭୌତିକ
ଶିରା-ପ୍ରଶିରାରେ ରକ୍ତ ।
ମା’ କ୍ଷୀର ଅମୃତ ସର୍ବପ୍ରଥମରେ
ମୋ’ ଶରୀର ହୃଷ୍ଟପୃଷ୍ଟ,
ଫୁଲ-ଫଳଭରା ଧରିତ୍ରୀ ତା’ପରେ
ଜୀବନରେ ପରିପୁଷ୍ଟ ।
ଅ’…ଆ’… ଆଗ ମା’ର ଶିକ୍ଷାଦାନ
ମାତୃଭାଷା ମକରନ୍ଦ,
ବୁଦ୍ଧିମତ୍ତେ ଅ’ ଆ’ ଭାବ ପ୍ରକାଶିଲି
ଅନ୍ନ ଆଉ ଯେ’ ଆନନ୍ଦ ।
ମାତୃଭାଷାରେ ମୋ’ କଥା କି ଭାଷଣ
ବିଶୁଦ୍ଧ ଓ ଅନର୍ଗଳ,
ଅନ୍ଯ ଭାଷାରେ ମୁଁ କାହିଁକି କେଜାଣି
ଛନ୍ଦି-ମନ୍ଦି ଅସମ୍ଭାଳ !
ମାତୃଭୂମିରେ ମୁଁ ଖାଲି-ପାଦେ ଦୌଡ଼େ
ହୃଦେ-ପ୍ରାଣେ ନିରାପଦ,
ଅନ୍ଯାନ୍ଯ ଭୂମିରେ ଜୋତା ପିନ୍ଧିଲେ ବି
କଣ୍ଟାର ଭୟ-ବିପଦ ।
ଓଡ଼ିଆ ଭାଷାର କଥନ ଶ୍ରବଣ
ଲିଖନ ଭାରି ସରସ,
ମୋ’ ଭାଷା ଓଡ଼ିଆ ସବୁଠୁ ବଢ଼ିଆ
ହୃଦରୁ ଝରେ ପୀୟୂଷ ।
ମାତୃଭାଷାରେ ମୋ’ ସଂଗୀତ କବିତା
ଗଳ୍ପ ପ୍ରବନ୍ଧ ସୁନ୍ଦର,
ମୋର ମାତୃଭାଷା ଓଡ଼ିଆ ଲିପିରେ
ମୋ’ ସାରସ୍ବତ ଭଣ୍ଡାର ।
ମୋ’ ଭାଷା ଆଧାର ସୁନ୍ଦର ଛବିଳ
ମଧୁ ବର୍ଣ୍ଣବୋଧ କୃତ,
ମୋର ସାରସ୍ବତ ସୃଜନେ ଆବାଳ-
ବୃଦ୍ଧ-ବନିତା ମୋହିତ ।
ଭାଷା ବ୍ଯବହାର ସାହିତ୍ଯ ମାଧୁର୍ଯ୍ୟ
ନିର୍ଝରିଣୀ ଗୁଞ୍ଜରଣ,
ସଂଗୀତ ମହକେ ସମ୍ମୋହିତ ସର୍ବେ
କସ୍ତୁରୀ ବାସ୍ନା ଆଘ୍ରାଣ ।
ଚମ୍ପୂ ଚୋଖି-ରାଗ ଶଙ୍କରାଭରଣ
ଶୋଭେ କବିତା ସାହିତ୍ଯ,
ମୋ’ ଭାଷା ଓଡ଼ିଆ ମୋ’ ମାଟି ଓଡ଼ିଶା
ଭାରତମାତା ଶୋଭିତ ।
ଓଡ଼ିଆ ଭାଷାର କାବ୍ୟ-କୃତ୍ତି ଭବ୍ଯ
ରମ୍ୟ ପାରିଜାତ ଫୁଲ,
ବିଶ୍ବ ସାରସ୍ବତ ଭଣ୍ଡାର ସୁଗନ୍ଧ
ହେବ ହେଲେ ସେଠି ଠୁଳ ।
ଆଜି ଫେବ୍ରୁଆରି ଏକୋଇଶ ଶୁଭ
ଯେ’ ମାତୃଭାଷା ଦିବସ,
ପୁଷ୍ପ-ଚନ୍ଦନରେ ଭାଷା ବନ୍ଦନାରେ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ : କୋଲକାତା