ମଦ୍ୟପାନ ମାରାତ୍ମକ

ଖୁସିରେ ହେଉ କି ଉତ୍ସବରେ ହେଉ
ଖାଅ ନାହିଁ କେବେ ମଦ,
ଖୁସିର ଅଭ୍ୟାସ ହେଲେ ପରିଣତ
ଘୋଟି ଆସିବ ବିପଦ ।

ଏ ସାରା ବିଶ୍ବରେ ବିଭିନ୍ନ ଉପାଧି
ପ୍ରତିଭା ହେଉ ବା ଖେଳ,
ଦେଖିଛ କି କେବେ ନିଶାଖୋରୀ ଜନେ
ଆନନ୍ଦ ଉଲ୍ଲାସ ବେଳ ।

ଯଦି କେହି ଗୁରୁ ପଚାରେ ଆମକୁ
କେଉଁ କର୍ମ ମାରାତ୍ମକ ?
ମଦ୍ୟପାନ ଶବ୍ଦ ହୁଅଇ ନିର୍ଗତ
ବଦନ ହୋଇ ବିମୁଖ ।

ପାଠ-ଶାଠ ଜ୍ଞାନ- ଗାରିମା ହୁଅନ୍ତି
ମଦ୍ୟପ ତୁଣ୍ଡେ ବିକଳ,
କ୍ରୋଧ ବ୍ୟଭିଚାର ଅଶାଳୀନ ପାପ
ଘୂରନ୍ତି ମୁଣ୍ଡେ ପ୍ରବଳ ।

ଦେବୀ ଲକ୍ଷ୍ମୀ ସାଥେ ଦେବୀ ସରସ୍ଵତୀ
ବିକଳେ ଛାଡ଼ନ୍ତି ଘର,
ଅର୍ଥାଭାବ ସାଥେ ଅଜ୍ଞାନ ତିମିରେ
ମଦ୍ୟପ ପାଲଟେ ଚୋର ।

ସମାଜ ଆଖିରେ ଘୃଣିତ ହୋଇଲେ
ନଷ୍ଟ ହୁଅଇ ଇଜ୍ଜତ,
ଯାହା ଆଉ କେବେ ଫେରେନା ଜୀବନେ
ମାନ ସମ୍ମାନ ବ୍ୟକ୍ତିତ୍ଵ ।

ଆସ ଆସ ଭାଇ ନିଶା ବିରୋଧରେ
ଚଲାଇବା ଅଭିଯାନ,
ସ୍ଵଦେଶ ସଂସ୍କୃତି ମହକେ ରଚିବା
ଦେଶପ୍ରେମ ସ୍ଵାଭିମାନ ।

( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )

Leave a Reply

Your email address will not be published. Required fields are marked *