


ବିଷମକଟକ :(କ :ପ୍ର )ଆମେ ସମସ୍ତେ ଦୁର୍ଗମ ରାୟଗଡ଼ ଜିଲ୍ଲାର ଶିକ୍ଷା, ସାମାଜିକ, ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ ଅଛନ୍ତି। ଏଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ବଣ ମଲ୍ଲୀ ପ୍ରସ୍ପୁଟିତ ହେବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ନିଶ୍ଚୟ। ରାୟଗଡ଼ ଜିଲ୍ଲାର ବିଷମକଟକ ଗୋଷ୍ଠୀ ଅନ୍ତର୍ଗତ ଚାଟିକୋଣା ପଞ୍ଚାୟତ ନିକଟସ୍ଥ ହାଡ଼ଶିଙ୍କୁଳା ଗ୍ରାମର କନ୍ଧ ଯୁବକ ପ୍ରଦୀପ କୁମାର ଜିଲିକାରା ନିଜର ସାଧନା ଓ ଅଧ୍ୟବସାୟ ବଳରେ ସୁନ୍ଦର ଓ ଚମତ୍କାର ଭାବରେ ଅଳଙ୍କାରିକ ରୀତି ସାହିତ୍ୟ ସାଧନାରେ ବ୍ରତୀ ହୋଇ ସୁନ୍ଦର କାବ୍ୟ କବିତା, ଛାନ୍ଦ, ଚଉପଦୀ, ଚଉତିଶା, ଜଣାଣ, ଭଜନ ଇତ୍ୟାଦି ରଚନା କରିପାରୁଛନ୍ତି। ତାଙ୍କ କାବ୍ୟ କବିତା ଗୀତ ବିଜ୍ଞ ସାହିତ୍ୟିକ ମାନେ ମଧ୍ୟ ପଢ଼ି ଆଶ୍ଚର୍ଯ୍ୟ ହୋଇ ଉଠନ୍ତି। ସେ ଅର୍ଥଶାସ୍ତ୍ର ବିଭାଗରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରି ବର୍ତ୍ତମାନ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୁର୍ଗୀରେ ଅର୍ଥଶାସ୍ତ୍ର ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ। ମା କଶାୟୀ ନିରକ୍ଷର ଓ ବାପା କାନ୍ଦରା ଜିଲିକାରା ଅଳ୍ପ ପଢ଼ି ଲେଖି ଜାଣିଥିଲେ ମଧ୍ୟ, ଏଭଳି ଦୁର୍ଗମ ରାୟଗଡ଼ ଅଞ୍ଚଳରୁ ରୀତି ସାହିତ୍ୟ ଭଳି ଶ୍ରେଷ୍ଠ ସାହିତ୍ୟ ଉପରେ ସାଧନା କରି ସାହିତ୍ୟକୁ ନିଶା କରିନେବା ସେହି କନ୍ଧ ଯୁବକଙ୍କ ପାଇଁ ପଙ୍କିଳ କର୍ଦ୍ଦମରେ ପଦ୍ମ ଫୁଟିବା ସଦୃଶ।ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l