ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ରଙ୍କ ଶୋକ

ଭୁବନେଶ୍ୱର, ୨୭ ଡିସେମ୍ବର:
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଡକ୍ଟର ମିଶ୍ର ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ଦେଶ ଜଣେ ସମ୍ମାନସ୍ପଦ ନେତା, ବିଶିଷ୍ଟ ଅର୍ଥଶାସ୍ତ୍ରୀ ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି । ସ୍ୱର୍ଗତ ଡକ୍ଟର ସିଂହ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଶିକ୍ଷାଦାନ କରୁଥିବା ସମୟରେ ତାଙ୍କର ସଂସ୍ପର୍ଶରେ ଆସିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଛନ୍ତି ।
ଡକ୍ଟର ମିଶ୍ର କହିଛନ୍ତି, ସେତେବେଳେ ସେ ସ୍ନାତକୋତ୍ତର କଳା ପ୍ରଥମ ବର୍ଷର ଛାତ୍ର ଥିଲେ । ସେ ସମୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ ଆସିଥିବା ତାଙ୍କ ଭଳି ଛାତ୍ର ପାଇଁ ଡକ୍ଟର ସିଂହଙ୍କ ଭଳି ଜ୍ଞାନୀ ପ୍ରାଧ୍ୟାପକଙ୍କୁ ପାଇବା ଆଶ୍ୱସ୍ତିର ବିଷୟ ଥିଲା। ତତ୍କାଳୀନ ସମୟରେ ଅମର୍ତ୍ତ୍ୟ ସେନ, ମୃଣାଳ ଦତ୍ତ ଚୌଧୁରୀ, ଏ.ଏମ. ଖୁସ୍ରୁ, କେ.ଏନ. ରାଜ, ସୁଖମୟ ଚକ୍ରବର୍ତ୍ତୀ, ଧର୍ମ କୁମାର ପ୍ରମୁଖଙ୍କ ଭଳି ଖ୍ୟାତନାମା ପ୍ରାଧ୍ୟାପକମାନେ ସେଠାରେ ଶିକ୍ଷାଦାନ କରୁଥିଲେ। ଅନ୍ତର୍ଜାତୀୟ ବାଣିଜ୍ୟ ଭଳି ଜଟିଳ ବିଷୟକୁ ଖୁବ୍‌ ସହଜରେ ବୁଝାଇବାରେ ଡକ୍ଟର ମନମୋହନ ସିଂହଙ୍କର ଅସାଧାରଣ ସାମର୍ଥ୍ୟ ରହିଥିଲା । ତାଙ୍କର ପାଠ ପଢ଼ାଇବା ଶୈଳୀକୁ ସବୁ ଛାତ୍ରଛାତ୍ରୀ ବୁଝିପାରୁଥିଲେ ଏବଂ ଶିଖିପାରୁଥିଲେ। ଅତ୍ୟନ୍ତ ବିନମ୍ର ଏବଂ ସରଳ ସ୍ୱଭାବର ଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆହୁରି କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟରତ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ମନମୋହନ ସିଂହଙ୍କ ସହିତ କାମ କରିବାର ସୁଯୋଗ ତାଙ୍କୁ ମିଳିଥିଲା। ଯେତେବେଳେ ବି ସେ ତାଙ୍କୁ ଭେଟୁଥିଲେ, ତାଙ୍କ ବ୍ୟବହାରରେ ଅନୁରୂପ ସରଳତା, ସଚ୍ଚୋଟତା ଓ ନମ୍ରତା ଦେଖିବାକୁ ମିଳୁଥିଲା।
ଏହି ଦୁଃଖଦ ସମୟରେ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *