ବିଲରେ ଉଜଡା ଫସଲ ଦେଖି ଆତ୍ମ ହତ୍ୟା କଲା ଚାଷୀ ।ଘରକୁ ଆସିଲା ରସି ଲଗେଇଲା ।

ଛତ୍ରପୁର : ୨୬.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ବଡ଼ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗାଁର ଜଣେ ଚାଷୀ ପାଇଖାନା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ଜଣକ ହେଲେ ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ(୬୪)। ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କ୍ଷତି ହେବାରୁ ଏହା ସହି ନ ପାରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି।ତାଙ୍କର ୪ ଝିଅ, ଗୋଟେ ପୁଅ ବିବାହ କରି ସାରିଛନ୍ତି। ୫ ଏକର ଜମିରେ ଧାନ ଫସଲ ଭାଗ ଚାଷୀ ହିସାବରେ ଚାଷ କରିଥିଲେ ଏବଂ ନିଜର ୨ ଭରଣ ଜମିରେ ମଧ୍ୟ ଧାନ ଚାଷ କରିଥିଲେ। ସମସ୍ତ ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି। କ୍ଷେତରେ କଟା ହେବା ଧାନ ପଡ଼ି ରହି ଗଜା ହୋଇଯାଇଛି। ପ୍ରାୟ ୨ ଲକ୍ଷ ଟଙ୍କା ଅନ୍ୟ ଠାରୁ ଧାର କରଜ କରି ସେ ଚାଷ କରିଥିଲେ ବୋଲି ଜଣାଯାଇଛି। କ୍ଷତି ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ପୋଲିସ ଅଧିକାରୀ ନିରୋଦ କୁମାର ଦାସ, ଛତ୍ରପୁର ଏସଡିପିଓ ଗୈାରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ସ୍ମୃତି ଶୁଭ ଦର୍ଶନ ସାହୁ, ଏଆରଆଇ ରାମଚନ୍ଦ୍ର ଦଳେଇ, କୃଷି ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇ, ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ତହସିଲଦାର ଶ୍ରୀମତୀ ମହାନ୍ତି ପରିବାର ବର୍ଗଙ୍କୁ ଭେଟି ରେଡକ୍ରସ ତରଫରୁ ନଗଦ ୬୦ ହଜାର ଟଙ୍କା ଏବଂ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପରିବାର ବର୍ଗଙ୍କୁ ସହାୟତା ବେଳେ ସରପଞ୍ଚ ପ୍ରତିନିଧି ଶିବଶଙ୍କର ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ, ମହେଶ୍ୱର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଗଞ୍ଜାମ ବିଜେଡ଼ି ଉପସଭାପତି ଶଙ୍କର ପ୍ରସାଦ ଦାଶ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *