“ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍‌ ଇଣ୍ଡିଆ ୨୦୨୪ ଉଦ୍‌ଯାପିତ”

ବାରିପଦା : (କ:ବ୍ଯୁ)୧୪/୧୨: : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍‌ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ଆଜି ଉଦ୍‌ଯାପିତ ହୋଇ ଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଗତ ୫ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ସାହୁ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ଅଭ୍ୟାସ, ଦୌଡ଼, ଯୋଗ, ଏବଂ ଖେଳକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜକ ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା ଫିଟ୍‌ ଇଣ୍ଡିଆ ୨୦୨୪ର ପୃଷ୍ଠଭୂମି ଓ ଏଥିପାଇଁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଧୀର-ସାଇକେଲ ଚାଳନା, ତର୍କ, ପ୍ରବନ୍ଧ, କୁଇଜ୍‌, ପୋଷ୍ଟର, ଦଉଡ଼ିଡିଆଁ, ଦୌଡ଼, ଯୋଗ, ଓ ବିଭିନ୍ନ ପାରମ୍ପରିକ ଭାରତୀୟ କ୍ରୀଡ଼ାର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ । ମୟୂରଭଞ୍ଜ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସମ୍ପାଦକ ବିଜୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ । କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ଅର୍ଥନୀତି ବିଭାଗର ପ୍ରଫେସର ମିନତୀ ମଲ୍ଲିକ, ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜିତ ପ୍ରତିଯୋଗିତା ଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *