ନୟାଗଡ : ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ତ୍ରିନାଥ ଲଜ୍ ତଳୁ ଆଜି ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ସ୍ବପ୍ନେଶ୍ବର ପଟ୍ଟନାୟକ । ସ୍ବପ୍ନେଶ୍ବର ଗତ ୬ଦିନ ହେଲା ବ୍ରହ୍ମପୁର ଅଞ୍ଚଳର ଅନ୍ଯ ୯ଜଣଙ୍କ ସହ ଏହି ହୋଟେଲରେ ରହୁଥିଲେ । ସେ ସରକାରୀ ଚାକିରି କରାଇଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର ୩୦ରୁ ଅଧିକ ଲୋକଙ୍କ ଠାରୁ ୨କୋଟିରୁ ଅଧିକ ଟଙ୍କା ନେଇ ନୟାଗଡ ଜିଲ୍ଲା ଶରଣକୂଳ ଅଞ୍ଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ଯକ୍ତିଙ୍କୁ ଦେଇଥିବା ଅଭିଯୋଗ ହୋଇଛି । ଚାକିରି ନହେବାରୁ ଟଙ୍କା ଦେଇଥିବା ବ୍ଯକ୍ତିମାନେ ସ୍ବପ୍ନେଶ୍ବରଙ୍କୁ ଟଙ୍କା ମାଗିଥିଲେ । ପ୍ରଶାନ୍ତ ସାହୁ ଆଜି ଟଙ୍କା ଫେରାଇବା ପାଇଁ ପ୍ରତିଶୃତି ଦେଇଥିବାରୁ ସ୍ବପ୍ନେଶ୍ବର ୯ଜଣଙ୍କ ସହ ଆସି ଏହି ହୋଟେଲରେ ୬ଦିନ ହେଲା ରହିଥିଲେ । ତେବେ ଆଜି ଦିନ ପ୍ରାୟ ୧୦ଟା ସମୟରେ ସ୍ବପ୍ନେଶ୍ବର ହୋଟେଲରେ ଫୋନରେ କାହା ସହ କଥା ହୋଇ ଇତସ୍ଥତ ଅବସ୍ଥାରେ ବୁଲିବା ପରେ ଛାତକୁ ଯାଇ ଛାତତଳକୁ ଡେଇଁ ପଡିଥିବା ସିସଟିଭିରେ କଏଦ୍ ହୋଇଛି । ନୟାଗଡ ଏସଡିପିଓ, ଟାଉନଥାନା ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ମୃତକଙ୍କ ସାଥିରେ ଥିବା ୩ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ