
ଅନୁଗୋଳ:-(ସ୍ଵସ୍ତିକ ଦେବ ସାହୁ, କଳିଙ୍ଗାପ୍ରଭା ଟିଭି)ତା: ୦୩/୧୨/୨୦୨୪ ରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଘଣ୍ଟିକା ସମୟରେ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ, ଅନୁଗୋଳ ପ୍ରାଙ୍ଗଣରେ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିନା ଇନ୍ଧନ ରେ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଏସ୍ ଚିତ୍ରା, ଅନୁଗୋଳ ବିଧାନସଭା ର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସରୋଜ ଦେବତା (ତପନ ବାବୁ)ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ତା’ପରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ଓ ଅଧ୍ୟକ୍ଷା ଙ୍କ ସହ କୁନି କୁନି ପିଲାମାନେ ପ୍ରସ୍ତୁତ କରିଥିବା ଖାଦ୍ୟ ପଦାର୍ଥକୁ ବୁଲି ଦେଖିବା ସହ ସ୍ୱାଦର ମଜା ନେଇଥିଲେ । ତା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଉପସ୍ଥିତ ଅଭିଭାବକ ବୁଲି ବୁଲି ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ପିଲାମାନଙ୍କୁ ଉତ୍ସାହିତ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଏଥିରୁ ଉପାର୍ଜିତ ପଇସାକୁ ପାଖରେ ଥିବା ଏକ ଅନାଥ ଆଶ୍ରମ କୁ ଦାନ କରିବା ପାଇଁ ସ୍ଥିର କରାଯାଇଥିଲା । ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ପଞ୍ଚମହଲା ନିକଟସ୍ଥ ଆଦୃତ ଶିଶୁ ସଦନ ଯାଇ ଅନାଥ ପିଲାମାନଙ୍କୁ ସାକ୍ଷାତକରି ଅନାଥାଶ୍ରମର ଦାୟିତ୍ଵ ରେ ଥିବା ଅଧିକାରୀ ସଙ୍ଗୀତା ଶର୍ମାଙ୍କୁ ଟ. ୨୭,୦୭୫ (ସତେଇଶ ହଜାର ପଞ୍ଚସ୍ତରୀ ଟଙ୍କା) ମୁକ୍ତ ହସ୍ତରେ ପିଲାମାନଙ୍କ ଗହଣରେ ପ୍ରଦାନ କରାଯାଇଥିଲା ।