ଦେଶରେ ଭିତ୍ତିଭୂମି ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରୁଛି ପ୍ରଗତି ପ୍ଲାଟଫର୍ମ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସଦ୍ୟତମ ଅଧ୍ୟୟନରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଭାରତର ପ୍ରଗତି ପ୍ଲାଟଫର୍ମକୁ ପ୍ରଶଂସା
୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଛି ପ୍ରଗତି
ବିଭିନ୍ନ ପ୍ରକାର ମଞ୍ଜୁରି ପାଇଁ ସମୟ ଅବଧି ହ୍ରାସ କରି ପ୍ରଶାସନିକ ଅଚଳାବସ୍ଥା ଦୂର କରିଛି
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇଛି; ଅନ୍ୟ ବିକାଶଶୀଳ ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି

ବେଙ୍ଗାଲାରୁ, ୨ ଡିସେମ୍ବର:
ଭାରତର ପ୍ରଗତି ପ୍ଲାଟଫର୍ମ ଦେଶରେ ବୃହତ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବାର ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ବିଶ୍ୱର ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡର ସୈଦ ବିଜନେସ୍‌ ସ୍କୁଲ୍ ପକ୍ଷରୁ କରାଯାଇଥିବା ଏକ ସଦ୍ୟତମ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଆଜି ଆଇଆଇଏମ ବାଙ୍ଗାଲୋରରେ ଠାରେ ଏହି ଅଧ୍ୟୟନକୁ ଉନ୍ମୋଚନ କରାଯାଇଛି । ଗେଟ୍ସ ଫାଉଣ୍ଡେସନ ସହାୟତାରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡିଛି ଯେ, ଅଭିନବ ଡିଜିଟାଲ ପ୍ରଶାସନ ଦ୍ୱାରା ଭାରତରେ ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତା ତ୍ୱରାନ୍ୱିତ ହୋଇଛି ।
ଗବେଷଣାରୁ ଜଣାପଡ଼ିଛି ଯେ, ୨୦୧୫ରେ ସକ୍ରିୟ ପ୍ରଶାସନ ଏବଂ ସମୟ ଅନୁକୂଳ କାର୍ଯ୍ୟକାରିତା ବା ପ୍ରୋ-ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ୍ (ପ୍ରଗତି)ର ଶୁଭାରମ୍ଭ ପରଠାରୁ ଏହା ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି। ଏହି ପ୍ଲାଟଫର୍ମ ୫୦,୦୦୦ କିଲୋମିଟର ନୂତନ ଜାତୀୟ ରାଜପଥ ନିର୍ମାଣ ଏବଂ ବିମାନବନ୍ଦର ସଂଖ୍ୟାକୁ ଦୁଇ ଗୁଣିତ କରିବା ସମେତ ଅଭୂତପୂର୍ବ ଭିତ୍ତିଭୂମି ବିକାଶକୁ ସମର୍ଥନ କରିଛି । ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେଉଥିବା ପ୍ରତି ଟଙ୍କା ପାଇଁ ଜିଡିପିରେ ୨.୫ରୁ ୩.୫ ଟଙ୍କା ଲାଭ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ପ୍ରଗତିର ମୂଳ ବିଶେଷତ୍ୱ ହେଉଛି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି। ସାଧାରଣତଃ ମାସକୁ ଥରେ ହେଉଥିବା ଭିଡିଓ କନଫରେନ୍ସିଂ ବୈଠକରେ ସେ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସମୀକ୍ଷା କରୁଛନ୍ତି । ଶୀର୍ଷ ନେତୃତ୍ୱଙ୍କ ସମ୍ପୃକ୍ତି ଓ ଡିଜିଟାଲ ସମୀକ୍ଷା ଉପକରଣ ସହ ମିଶି ଜାରି ରହିଥିବା ଏହି କାର୍ଯ୍ୟ ଉତ୍ତରଦାୟିତ୍ୱର ଏକ ନୂଆ ସଂସ୍କୃତି ସୃଷ୍ଟି କରିଛି। ନିର୍ଦ୍ଦିଷ୍ଟ ପ୍ରକଳ୍ପର ସମୀକ୍ଷା କରିବାରେ ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଯୋଗଦାନ ଅମଲାତାନ୍ତ୍ରିକ ଅଚଳାବସ୍ଥା ଦୂର କରିବା ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରୁଛି।
ଭିତ୍ତିଭୂମି ଜନିତ ଅଚଳାବସ୍ଥା ଦୂର କରିବା ପାଇଁ ପ୍ରଗତି ଭାରତର ପ୍ରମୁଖ ସମସ୍ୟା ସମାଧାନକାରୀ ପାଲଟିଛି । ପ୍ଲାଟଫର୍ମର ଅସ୍ତିତ୍ୱ ହିଁ ସମାଧାନକୁ ପ୍ରୋତ୍ସାହିତ କରୁଛି । ଅଧିକାରୀମାନେ ପ୍ରାୟତଃ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସମସ୍ୟାର ସମାଧାନ କରନ୍ତି । ସମୀକ୍ଷା ପାଇଁ ଆସୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ପ୍ରଗତିର ସମନ୍ୱିତ ଆଭିମୁଖ୍ୟ ଜମି ଅଧିଗ୍ରହଣ ଏବଂ ପରିବେଶ ମଞ୍ଜୁରୀ ଭଳି କ୍ଷେତ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବାରେ ସହାୟକ ହୋଇଛି ।
ଭିତ୍ତିଭୂମି ଯୋଜନା ପାଇଁ ପିଏମ ଗତି ଶକ୍ତି ଏବଂ ପରିବେଶ ମଞ୍ଜୁରୀ ପାଇଁ ପରୀଭେଶ ସମେତ ଏକ ବିସ୍ତୃତ ଇକୋସିଷ୍ଟମ ମଧ୍ୟରେ ପ୍ରଗତି କାର୍ଯ୍ୟ କରୁଛି। ଏହି ଏକୀକରଣ ଅନୁମୋଦନ ସମୟସୀମାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି । ପରିବେଶ ମଞ୍ଜୁରୀ ପାଇଁ ପୂର୍ବରୁ ୬୦୦ ଦିନ ଲାଗୁଥିଲା ବର୍ତ୍ତମାନ 70-75 ଦିନରେ ମିଳିପାରୁଛି । ଏହି ଇକୋସିଷ୍ଟମ ଡ୍ରୋନ୍ ମନିଟରିଂ ଏବଂ ଜିଆଇଏସ୍ ଭିତ୍ତିକ ମ୍ୟାପିଂ ସମେତ ଅତ୍ୟାଧୁନିକ ଉପକରଣ ବ୍ୟବହାର କରୁଛି ।
ପ୍ରଗତି ପ୍ଲାଟଫର୍ମର ପ୍ରଭାବ ଭିତ୍ତିଭୂମି ଠାରୁ ଆଗକୁ ବଢ଼ି ସାମାଜିକ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ପ୍ରଗତିର ତତ୍ତ୍ୱାବଧାନରେ ଟ୍ୟାପ୍ ଜଳ ସଂଯୋଗ ଥିବା ଗ୍ରାମୀଣ ପରିବାର ୫ ବର୍ଷ ମଧ୍ୟରେ ୧୭%ରୁ ୭୯%କୁ ବୃଦ୍ଧି ପାଇଛି। ଏହି ପ୍ଲାଟଫର୍ମ ନାଗରିକଙ୍କ ଅଭିଯୋଗ ଉପରେ ସରକାରୀ ପ୍ରତିକ୍ରିୟା ସମୟକୁ ୩୨ ରୁ ୨୦ ଦିନକୁ ହ୍ରାସ କରିବାରେ ସାହାଯ୍ୟ କରିଛି ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ପଦକ୍ଷେପକୁ ସମର୍ଥନ କରିଛି ।
ପ୍ରଗତି ଏକ ନିରପେକ୍ଷ ମଞ୍ଚ ସୃଷ୍ଟି କରିଛି ଯେଉଁଠାରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୈତିକ ସଂପୃକ୍ତି ନିର୍ବିଶେଷରେ ମିଳିତ ଭାବେ କାର୍ଯ୍ୟ କରନ୍ତି । ଭାରତର ସଂଘୀୟ ଢାଞ୍ଚାରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପାରମ୍ପରିକ ଅମଲାତାନ୍ତ୍ରିକ ଏବଂ ରାଜନୈତିକ ପ୍ରତିବନ୍ଧକକୁ ଅତିକ୍ରମ କରି ଏହି ପ୍ଲାଟଫର୍ମ ‘ଟିମ୍ ଇଣ୍ଡିଆ’ର ପ୍ରତିମୂର୍ତ୍ତି ପାଲଟିଛି । ଅନେକ ରାଜ୍ୟ ଏବେ ପ୍ରଗତିର ନିଜସ୍ୱ ସଂସ୍କରଣ ପ୍ରସ୍ତୁତ କରିଛନ୍ତି ।
ଏହି ଅଧ୍ୟୟନ ଅନ୍ୟ ଉଦୀୟମାନ ଅର୍ଥନୀତିଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଛି । ଡିଜିଟାଲ ପରିବର୍ତ୍ତନକୁ ଚଳାଇବାରେ ଉଚ୍ଚସ୍ତରୀୟ ନେତୃତ୍ୱର ଗୁରୁତ୍ୱ, ନିୟମିତ ସମୀକ୍ଷା ବ୍ୟବସ୍ଥାର ମୂଲ୍ୟ ଏବଂ ବିକାଶକୁ ତ୍ୱରାନ୍ୱିତ କରିବାରେ ସମନ୍ୱିତ ପ୍ଲାଟଫର୍ମର ଶକ୍ତି ବିଷୟରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି । ଗବେଷଣାରୁ ଜଣାପଡିଛି ଯେ ପ୍ରଗତିର ଆଭିମୁଖ୍ୟ ଗ୍ଲୋବାଲ ସାଉଥର ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ସମାନ ଭିତ୍ତିଭୂମି ଏବଂ ପ୍ରଶାସନିକ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିପାରିବ ।

Leave a Reply

Your email address will not be published. Required fields are marked *