‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ହାସଲ ପାଇଁ ଯୁବା ସଙ୍ଗମ ପଦକ୍ଷେପକୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର, ୨ ଡିସେମ୍ବର, ୨୦୨୪: ଯୁବା ସଙ୍ଗମର ପଞ୍ଚମ ପର୍ଯ୍ୟାୟର ଅଂଶ ଭାବରେ ୨୦୨୪ ଡିସେମ୍ବର ୨ ତାରିଖରେ ଓଡ଼ିଶାକୁ ପରିଚୟାତ୍ମକ ଗସ୍ତ (ଏକ୍ସପୋଜର ଭିଜିଟ୍)ରେ ଆସିଥିବା ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ୫୦ ଛାତ୍ର ଛାତ୍ରୀଙ୍କର ଏକ ପ୍ରତିନିଧି ଦଳକୁ ଓଡ଼ିଶାର ସମ୍ମାନନୀୟ ରାଜ୍ୟପାଳ ଶ୍ରୀ ରଘୁବର ଦାସ ସାକ୍ଷାତ କରିଛନ୍ତି। ସେ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିବା ସାଙ୍ଗକୁ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପ୍ରତି ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱ ଅଧୀନରେ ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସ୍‌ବି)ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
ପ୍ରତିନିଧିଦଳଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ଭାରତ ବିବିଧତା ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଛି। ‘ଯୁବା ସଙ୍ଗମ କାର୍ଯ୍ୟକ୍ରମ’ ଦେଶର ବିଭିନ୍ନ ଭାଗର ଯୁବବର୍ଗଙ୍କ ମଧ୍ୟରେ ଏକତାର ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟକୁ ସମର୍ଥନ କରିବ।” ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ବିକାଶମୂଳକ ପ୍ରୟାସଗୁଡିକ ସମ୍ପର୍କରେ ଜ୍ଞାନ ଆହରଣ କରିବା ସେମାନଙ୍କ ଜ୍ଞାନକୁ ନିଜ ରାଜ୍ୟରେ ବିତରଣ କରିବାକୁ ରାଜ୍ୟପାଳ ମହାରାଷ୍ଟ୍ର ଛାତ୍ର ପ୍ରତିନିଧି ଦଳଙ୍କୁ ପରାମର୍ଶ ଦେଇଥିଲେ, ଯଦ୍ଦ୍ୱାରା ତାହା ଆନ୍ତଃ-ରାଜ୍ୟ ସମ୍ପର୍କକୁ ପ୍ରୋତ୍ସାହିତ କରିବ। “ଓଡ଼ିଶା ପରମ୍ପରା, ପର୍ଯ୍ୟଟନ ଏବଂ ପ୍ରାକୃତିକ ସମ୍ପଦର ଏକ ସଠିକ ସମ୍ମିଶ୍ରଣ; ଯାହାର ଅଭିବୃଦ୍ଧି ହାସଲ ନିମନ୍ତେ ବିପୁଳ ସାମର୍ଥ୍ୟ ରହିଛି,” ବୋଲି ସମ୍ମାନନୀୟ ରାଜ୍ୟପାଳ କହିଥିଲେ। ସେ ମଧ୍ୟ ଜୋର୍ ଦେଇ କହିଥିଲେ ଯେ ନୂଆ ଶିକ୍ଷା ନୀତି ଭାରତର ପ୍ରାଚୀନ ଜ୍ଞାନ ବ୍ୟବସ୍ଥା ଉପରେ ଆଧାରିତ ଏବଂ ବୈଶ୍ୱିକ ମାନ ଅନୁଯାୟୀ ବିକଶିତ ହୋଇଛି। “ରାଷ୍ଟ୍ରର ଯୁବବର୍ଗ ଦେଶର ବିବିଧତା ସମ୍ପର୍କ ଜାଣିବା ଏବଂ ସେମାନଙ୍କର ଜ୍ଞାନ ପରିବର୍ଦ୍ଧିତ କରିବା ସୁଯୋଗ ଭାବରେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଫାଇଦା ନେବା ଉଚିତ।
ଏହି ଅବସରରେ ଛାତ୍ର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏବଂ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିବା ସହିତ ରାଜ୍ୟରେ ବୈଜ୍ଞାନିକ ଗବେଷଣା ଏବଂ କୁଶଳତାର ବିକାଶ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ। ସେମାନେ ମଧ୍ୟ ଏକାମ୍ର ହାଟ ଗସ୍ତକରି ସେଠାରେ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ସମ୍ପର୍କରେ ଅନେକ ଶିକ୍ଷାଲାଭ କରିଥିଲେ।

Leave a Reply

Your email address will not be published. Required fields are marked *