“ଆସନ୍ତା ୨ରୁ ମୟୂରଭଞ୍ଜରେ ୬୮ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କ୍ରିକେଟ ଚାମ୍ପିଅନସିପ”

ବାରିପଦା(କ:ବ୍ଯୁ) ୨୬.୧୧.୨୦୨୪//  ୬୮ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କ୍ରିକେଟ ଚାମ୍ପିଅନସିପ (ବାଳକ ଓ ବାଳିକା) ଆସନ୍ତା ଡିସେମ୍ବର ୨ ତାରିଖରୁ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ, ଜିଲ୍ଲା ଗଣଶିକ୍ଷା ଉପବିଭାଗ ପକ୍ଷରୁ କରାଯାଉଥିବା ବେଳେ ମଙ୍ଗଳବାର ଦିନ ଏହି ପରିପ୍ରେକ୍ଷୀରେ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବୈଠକ ସଂଚାଳନ କରିଥିଲେ।

ସୂଚନାନୁସାରେ, ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨ ତାରିଖ ରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଉଭୟ ବାଳକ ଓ ବାଳିକା ଗ୍ରୁପରେ ୫୨୭ ଜଣ ଲେଖାଏଁ ଖେଳାଳୀ ଏହି କ୍ରୀଡାରେ ଭାଗ ନେବାପାଇଁ ମୟୂରଭଞ୍ଜ ଆସିବେ। ଜିଲ୍ଲା ମୁଖ୍ୟାଳୟରେ ଏହି କ୍ରୀଡା ପ୍ରତିଯୋଗିତା ୭ଟି ପଡିଆରେ ଅନୁଷ୍ଠିତ ହେବ। ଡିସେମ୍ବର ୨ତାରିଖ ଦିନ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କ୍ରୀଡ଼ାସ୍ଥଳୀରେ ଅନୁଷ୍ଠିତ ହେବାକୁ ଥିବା ବେଳେ, ପ୍ରତ୍ୟେକ ଦିନ ପୂର୍ବାହ୍ନ ଓ ଅପରାହ୍ନ ସତ୍ର ରେ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଉକ୍ତ ଦିନ ଗୁଡିକରେ କ୍ରୀଡ଼ାବିତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ସୁବିଧା ଯଥା ରହିବା, ଖାଇବା, ଯାତାୟାତ, ପଡିଆରେ ଉତ୍ତମ ବ୍ୟବସ୍ଥା, ଗଣମାଧ୍ୟମ ପ୍ରଚାର, ମେଡିକାଲ ଓ ପ୍ରାଥମିକ ଚିକିତ୍ସା ଆଦି ସମେତ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ଏହି ବୈଠକରେ ବିଶଦ ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ମଲ୍ଲିକ କହିଥିଲେ। ଏହି ୬ ଦିନ ବ୍ୟାପି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଉପ-ବିଭାଗର ସହଯୋଗରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଇଂ ବିସ୍ବରାଜ ବେହେରା, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ରହିଥିଲେ।ଇତି।

       ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି) 

Leave a Reply

Your email address will not be published. Required fields are marked *