କଟକଠାରେ ରେଳବାଇ କୁଲିଙ୍କର ବିକ୍ଷୋଭ

କଟକ ରେଳବାଇ କୁଲିମାନଙ୍କର ବିଭିନ୍ନ ସମସ୍ୟାର ପ୍ରତିକାର ଓ ଦାବି ନେଇ ଆଜି ଷ୍ଟେସନ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ଇଷ୍ଟକୋଷ୍ଟ ରେଳବାଇ ପୋର୍ଟର୍ସ ୟୁନିୟନ ତରଫରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଶହ ଶହ କୁଲି ଏଆଇଟିୟୁସିର ବ୍ୟାନର ସହ ପ୍ଲାକାର୍ଡ ଓ ପତାକା ହାତରେ ଧରି ଷ୍ଟେସନ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ବିକ୍ଷୋଭରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା, ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ୟୁନିୟନର କାର୍ଯ୍ୟକାରୀ ସଭାପତି ସୁର ଜେନା, ୟୁନିୟନ ଉପସଭାପତି ଅମରେନ୍ଦୁ ମହାନ୍ତି, ୟୁନିୟନର ସାଧାରଣ ସମ୍ପାଦକ ଶିବ ବେହେରା ଉଦ୍‌ବୋଧନ ଦେଇ କହିଲେ- କୁଲିମାନେ ଭାରତୀୟ ରେଳବାଇର ସର୍ବ ପୁରାତନ ଅଙ୍ଗ ଓ ପ୍ରତୀକ। ବିଗତ ବର୍ଷମାନଙ୍କରେ ରେଳବାଇର ବିଭିନ୍ନ ବିକାଶ ସହିତ ବନ୍ଦେ ଭାରତ ଭଳି ଟ୍ରେନ ପ୍ରଚଳନ କରାଯାଇଥିଲେ ସୁଦ୍ଧା ରେଳବାଇ କୁଲିମାନଙ୍କର ଅବସ୍ଥାର ପରିବର୍ତନ ଆଣିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ବିକ୍ଷୋଭ ପରେ ଷ୍ଟେସନ ମ୍ୟାନେଜରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଏହି ସ୍ମାରକପତ୍ରରେ ଯେଉଁସବୁ ଦାବିମାନ ଉପସ୍ଥାପିତ କରାଯାଇଛି ସେଗୁଡ଼ିକ ହେଲା- ୧) ୧ନଂ. ପ୍ଲାଟଫର୍ମରେ ସ୍ଥାୟୀ ବିଶ୍ରାମାଳୟ ଯୋଗାଇ ଦିଆଯାଉ। ୨) କରୋନା ମହାମାରୀ ସମୟରେ ବୃଦ୍ଧି କରାଯାଇଥିବା ଯାତ୍ରୀ ଭଡ଼ାକୁ ପରିବର୍ତ୍ତନ କରି ତା’ର ପୂର୍ବାବସ୍ଥାକୁ ଫେରାଇ ଅଣାଯାଉ। ୩) ପାର୍ସଲ ହ୍ୟାଣ୍ଡଲିଂ କାର୍ଯ୍ୟର ଘରୋଇକରଣ ବନ୍ଦ କରି ଷ୍ଟେସନ କୁଲିଙ୍କୁ ଏହି କାର୍ଯ୍ୟ ଦିଆଯାଉ । ୪) ବ୍ୟାଟେରି ଟ୍ରଲିରେ ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀଙ୍କୁ ସେବା ଯୋଗାଇଦେବା ପରିବର୍ତ୍ତେ ଯାତ୍ରୀଙ୍କ ଆସବାବପତ୍ର ବୋହିନେବା ଦ୍ବାରା କୁଲିଙ୍କ ଜୀବିକା ଉଚ୍ଛେଦ କରାଯାଉଛି, ଏହା ବନ୍ଦ ହେଉ । ୫) ପୋଟର୍ସ ପରିବାରଙ୍କୁ ରେଳ ଯାତ୍ରା ସହାୟତା କେବଳ କୁଲି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସୀମିତ ନ ରଖି କୁଲିଙ୍କ ପରିବାର, ଯଥା: ପିତାମାତା ଓ ସନ୍ତାନସନ୍ତତିଙ୍କୁ ଏହି ଯାତ୍ରା-ସହାୟତାର ଅନ୍ତର୍ଭୁକ୍ତ କରାଯାଉ। ୬) ସ୍ବାସ୍ଥ୍ୟ ବୀମା ଓ ଚିକିତ୍ସା ସହାୟତାରେ କୁଲି ଓ ସେମାନଙ୍କର ପରିବାରବର୍ଗଙ୍କୁ ସାମିଲ କରାଯାଉ। ସେମାନଙ୍କୁ ରେଳବାଇ ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ। ୭) କୁଲିମାନଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷାପ୍ରଦାନ କରାଯାଉ। ୮) ପ୍ରତ୍ୟେକ କୁଲିଙ୍କୁ ବର୍ଷକୁ ଦୁଇହଳ ପୋଷାକ ଓ ନାମ ଉଲ୍ଲେଖ ଥିବା ପରିଚୟପତ୍ର ଦିଆଯାଉ । ୯) ପ୍ରତ୍ୟେକ କୁଲିଙ୍କୁ ପ୍ରତୀକାତ୍ମକ କିଛି ମାସିକ ଦରମା ଓ ଇପିଏଫ ସୁବିଧା ଯୋଗାଇ ଦିଆଯାଉ। ୧୧) କୁଲିମାନଙ୍କୁ ପର୍ଯ୍ୟାୟକ୍ରମେ ଗ୍ୟାଙ୍ଗମାନ ଭାବେ ପଦୋନ୍ନତି ଦିଆଯାଉ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବିନୋଦ ବେହେରା, ପ୍ରକାଶ ଜାଲି, ଉଦୟ ବର୍ମା, ଭୋଲା ଜାଲି, ଉମାକାନ୍ତ ବେହେରା, ପଞ୍ଚାନନ ସାହୁ, ସାଗର ପ୍ରଧାନ ଓ ହରି ମହାରି ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *