
ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଗଲା ଏକ ଟ୍ରଷ୍ଟ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି।
ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବା ସହ ମନ୍ଦିର ସମ୍ପର୍କିତ ଅନ୍ୟ ବିଷୟରେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନେବ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୬୭.୭୦୩ ଏକର ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସୁନ୍ନି ଓ୍ୱାକଫ୍ ବୋର୍ଡକୁ ୫ ଏକର ଜମି ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ସ୍ୱାଗତ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ୧୫ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରୁ ଜଣେ ଦଳିତ ସମ୍ପ୍ରଦାୟର ହୋଇଥିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।
୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ବିବାଦ ବଢ଼ିଥିଲା। ଏହାପରେ କେନ୍ଦ୍ର ସରକାର ୬୭ ଏକର ଜମିକୁ ଅଧିଗ୍ରହଣ କରିଥିଲେ। ଏବେ ଏହି ଜମିକୁ ଟ୍ରଷ୍ଟକୁ ଦେଇଛନ୍ତି ସରକାର। ଅର୍ଥାତ୍ ଏବେ ଏହି ୬୭ ଏକର ଜମି ଏବଂ ବିବାଦୀୟ ୨.୫ ଏକର ଜମି ରାମ ମନ୍ଦିର ଟ୍ରଷ୍ଟ ପାଖରେ ରହିବ। ୨.୫ ଏକର ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଣି ବେଳେ କହିଥିଲେ।
ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣର ଶୈଳୀ, ଆର୍ଥିକ କ୍ଷମତା ଉପରେ ନଜର ରଖିବ। ଏହି ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ସେ ବାବଦରେ ମଧ୍ୟ ସରକାର ନିଷ୍ପତ୍ତି ନେବ। ଏହାବାଦ ସୁପ୍ରିମକୋର୍ଟ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଜାଗା ଦେବା ପାଇଁ ଉତ୍ତର ପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁପି ସରକାର ତିନୋଟି ଜାଗା ବାବଦରେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।
ତେବେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା କିଏ ରହିବେ ମନ୍ଦିର ଟ୍ରଷ୍ଟରେ। ଦୀର୍ଘ ୩ ଦଶନ୍ଧି ଧରି ହୋଇଥିବା ରାମ ମନ୍ଦିର ଆନ୍ଦୋଳନରେ ଅନେକ ସାଧୁ ସନ୍ଥ ସାମିଲ ରହିଛନ୍ତି। ଟ୍ରଷ୍ଟରେ ସୀମୀତ ସଂଖ୍ୟକ ସଦସ୍ୟ ରହିବେ। ତେଣୁ କିଏ ରହିବେ କାହାକୁ ସାମିଲ କରାଯିବନି କେଉଁ ଆଧାରରେ ତାହା ନିଷ୍ପତ୍ତି ନେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।