କଟକ : କଟକ ହଜାର ବର୍ଷର ପୁରାତନ କଟକର ପ୍ରସିଦ୍ଧ ଗଣପର୍ବ ଦଶହରା ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ବୁଧବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେବୀଗଡା ଠାରେ 17ଟି ମୂର୍ତ୍ତି ବିସର୍ଜନ ହରୁ ଉର୍ଦ୍ଧ୍ବ ମୂର୍ତ୍ତି ଦେବୀଗଡା ଠାରେ ଵିସର୍ଜିତ ହୋଇଥିଲା। ଶୁକ୍ରବାର ଦିନ ଚାନ୍ଦିନୀଚଉକ, ଫିରିଙ୍ଗି ବଜାର, ଉପର ଓ ତଳ ତେଲେଙ୍ଗାବଜାର ଓ ଚୋୖଧୁରୀବଜାର ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି। ଦେବୀଗଡାରେ ମୂର୍ତ୍ତି ବିସର୍ଜନ ପାଇଁ କୃତ୍ରିମ ଜଳାଶୟ ସ୍ଥାପନ କରାଯାଇଛି। ମୂର୍ତ୍ତିଗୁଡିକ ଵିସର୍ଜିତ ହେବା ପରେ କଟକ ମହାନଗର ନିଗମ ପକ୍ଷରୁ କ୍ରେନ ସାହାଯ୍ୟରେ ଅଳିଆ ଆବର୍ଜନା ଉଠାଇ ନିଆଯାଉଛି। ମେଢ ଶୋଭାଯାତ୍ରା ବେଳେ କାଁ ଭାଁ କେତୋଟି ସ୍ଥାନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା। ମୋଟାମୋଟି ଭାବରେ ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। କମିଶନରେଟ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସମସ୍ତ ପୂଜା କମିଟିର ସହଯୋଗରେ ଭସାଣି ଶୋଭାଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଅପରାହ୍ନରୁ ମାତାମଠ ଠାରୁ ଦେବୀଗଡା ପର୍ଯ୍ୟନ୍ତ ରାସ୍ତା ଜନସମୁଦ୍ରରେ ପରିଣତ ହୋଇଯାଇଥିଲା।କଟକ ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଲା ଭସାଣି ଯାତ୍ରା। ମା’ଙ୍କର ଏହି ଭସାଣି ଉତ୍ସବ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ମଙ୍ଗଳାବାଗ ଛକ ନିକଟରୁ ଦେବୀଗଡା ପର୍ଯ୍ୟନ୍ତ ରାସ୍ତାରେ ହଜାର ହଜାର ମହିଳା ଓ ପୁରୁଷଙ୍କର ଭିଡ଼ ଜମିଥିଲା। ଶୋଭାଯାତ୍ରାରେ ଯାଉଥିବା ଚାନ୍ଦି ମେଢ଼ ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କଟକଣା ଯୋଗୁ ରାତି 12ଟା ପରେ ଶୋଭାଯାତ୍ରାରେ ଡ଼ାକବାଜି ଯନ୍ତ୍ରକୁ ନିଷିଦ୍ଧ କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ, ସଂସ୍ଥା ଏବଂ ସଂଗଠନ ପକ୍ଷରୁ ଶୋଭାଯାତ୍ରାକାରୀ ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୃତ୍ୟ, ବାଦ୍ୟ ସାଙ୍ଗକୁ ଆଲୋକସଜ୍ଜା ମେଢ଼ ଶୋଭାଯାତ୍ରାର ଶୋଭାବର୍ଦ୍ଧନ କରିଥିଲା।
ଆଜି ଗୁରୁବାର ଦିନ ପାଗ ଅନୁକୂଳ ଥିବାରୁ ପ୍ରବଳ ଜନସମାଗମ ହୋଇଥିଲା। ସକାଳୁ ସକାଳୁ ବିଭିନ୍ନ ସାହି ମେଢ଼ ଗୁଡ଼ିକ ମଣ୍ଡପରୁ ବାହାରି ସାହି ପରିକ୍ରମା ପରେ ଆକର୍ଷଣୀୟ ଶୋଭାଯାତ୍ରାରେ ବାହାରି କାଠ ଯୋଡ଼ି ଅଭିମୁଖେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ସାହି ପରିକ୍ରମା ବେଳେ ଯେପରି ସୀମା ବିବାଦ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୋଟା ମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି।