କଟକ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ ଉଦ୍‌ଯାପିତ


କଟକ, ତା୧୬. ୧୦.୨୦୨୬ ରିଖ : ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ଅନ୍ତେବାସୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ପ୍ରସ୍ଫୁଟନ ଲକ୍ଷ୍ୟରେ ଆୟୋଜିତ କଟକ ଜିଲ୍ଲାସ୍ତରୀୟ ଦୁଇଦିନିଆ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ଜିଲ୍ଲାର ୧୩ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ହେଉଛି ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ପିତାମାତା ସଦୃଶ। ଅନ୍ତେବାସୀମାନେ ନିଜ ନିଜର ଦକ୍ଷତା ଓ ରୁଚି ଅନୁସାରେ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ଉଚିତ। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଯେକୌଣସି ସମୟରେ କୌଣସି ସମସ୍ୟା ଉପୁଜିଲେ, ସେମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରିବେ ବୋଲି ସେ ଆଶ୍ୱାସନା ଦେଇଥିଲେ।
କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ ଲିଖନ ସମେତ ଫୁଟବଲ୍‌, କ୍ୟାରମ୍‌, ଲଙ୍ଗ ଜମ୍ପ ଓ ହାଇ ଜମ୍ପ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାସ୍ତରରେ ଚୟନିତ କୃତୀ ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶତରୂପା ଶତପଥୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *