
କଟକ, ତା୧୬.୧୦.୨୦୨୬ ରିଖ – ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ୨୦୨୯ ସୁଦ୍ଧା ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଅକ୍ଟୋବର ରୁ ୧୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୪୪ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଭିତ୍ତିକ ସଚେତନତା ଅଭିଯାନ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଆଇନ, ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ପାଇଁ ଶପଥପାଠ କରାଯାଇଥିଲା । ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କୁ ସଚେତନ କରିବା ସହ ଶିଶୁ ଶ୍ରମମୁକ୍ତ ଗ୍ରାମ ଗଠନ ଦିଗରେ ସମସ୍ତେ ନିଜ ନିଜ ସ୍ତରରେ ଦାୟିତ୍ୱବାନ ଭୂମିକା ନିର୍ବାହ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ଶିଶୁମାନଙ୍କୁ ଶୋଷଣମୁକ୍ତ ପରିବେଶ ପ୍ରଦାନ କରିବା ଏବଂ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନ ସହିତ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନର ସକ୍ରିୟ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହାମାନସିଂହ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଶିଶୁ ମଙ୍ଗଳ କମିଟି ଚେୟାରମ୍ୟାନ ମାନସ ବିଶ୍ଵାଳ, ଶ୍ରମିକ ନେତା ଭାରତୀୟ ମଜଦୁର ସଂଘ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶିଶୁ ଓ କିଶୋର ଶ୍ରମିକ ଆଇନର ବିଭିନ୍ନ ଦିଗ, ଶିଶୁ ଶ୍ରମିକ ଚିହ୍ନଟ, ଉଦ୍ଧାର ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ଶିଶୁ ଶ୍ରମ ନିରାକରଣ ଆଇନର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ଏବଂ ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରି ଶିକ୍ଷା, ସୁରକ୍ଷା ଓ ଉପଯୁକ୍ତ ବିକାଶର ସୁଯୋଗ ପ୍ରଦାନ କରିବା ।