ଦୁର୍ଗାପୂଜା ପାଇଁ ବିଦ୍ୟୁତ୍ ବ୍ୟବସ୍ଥା ସୁଦୃଢ଼ କରିବାକୁ ସିଏମ୍‌ସିର ଉଦ୍ୟମମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଟାଟା ପାୱାର, ଶାନ୍ତି କମିଟି ଓ ପୂଜା କମିଟି ସହ ଉଚ୍ଚସ୍ତରୀୟ ବୈଠକପୂଜା ମଣ୍ଡପକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟାଟା ପାୱାରର ପ୍ରତିଶ୍ରୁତି


କଟକ, ୬ ଅକ୍ଟୋବର ୨୦୨୬:
ଆସନ୍ତା ଶାରଦୀୟ ଦୁର୍ଗାପୂଜାକୁ କଟକ ସହରରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ସହ ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ନେଇ କଟକ ମହାନଗର ନିଗମର ଉଦ୍ୟମରେ ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଅପରାହ୍ନ ୪ଟାରେ ବିଜୁ ଭବନସ୍ଥିତ କଟକ ମହାନଗର ନିଗମ କାଉନସିଲ୍ ହଲ୍‌ରେ ମେୟର ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।
ବୈଠକରେ ଟାଟା ପାୱାରର ବରିଷ୍ଠ ଅଧିକାରୀ, କଟକର ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟିର କର୍ମକର୍ତ୍ତା, କଟକ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଆସନ୍ତା ଦଶହରା ଓ ଦୁର୍ଗାପୂଜା ସମୟରେ ବିଦ୍ୟୁତ୍ ବ୍ୟବସ୍ଥା, ପୂଜା ମଣ୍ଡପଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ, ସୁରକ୍ଷା ବ୍ୟବସ୍ଥା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ପୂଜା ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ
ବୈଠକରେ ଆଲୋଚନା ପରେ ଟାଟା ପାୱାର ପକ୍ଷରୁ ପୂଜା ସମୟରେ ବିଭିନ୍ନ ପୂଜା ମଣ୍ଡପକୁ ଆବଶ୍ୟକ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବା ସହ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦିଆଯାଇଛି।
ପୂଜା ସମୟରେ କୌଣସି ପ୍ରକାରର ବିଦ୍ୟୁତ୍ ବିଭ୍ରାଟ ଯେପରି ସୃଷ୍ଟି ନହୁଏ, ସେଥିପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ନିରୀକ୍ଷଣ କରାଯିବ। ବିଦ୍ୟୁତ୍ ତାର, ବିଦ୍ୟୁତ୍ ଖୁଣ୍ଟ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଭିତ୍ତିଭୂମିର ସ୍ଥିତି ଯାଞ୍ଚ କରାଯାଇ ଆବଶ୍ୟକ ସ୍ଥଳେ ମରାମତି ଓ ରକ୍ଷଣାବେକ୍ଷଣ କରାଯିବ।
ପୂଜା ସମୟରେ ଅଧିକାରୀଙ୍କ ଉପସ୍ଥିତି
ପୂଜା ଦିନଗୁଡ଼ିକରେ ଟାଟା ପାୱାରର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବେ। କୌଣସି ସ୍ଥାନରେ ବିଦ୍ୟୁତ୍ ସରବରାହରେ ସମସ୍ୟା ଦେଖାଦେଲେ ତୁରନ୍ତ ତାହାର ସମାଧାନ କରାଯିବ। ଏଥିପାଇଁ ଆବଶ୍ୟକ ମାନବସମ୍ବଳ ଓ ପ୍ରାୟୋଗିକ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯିବ ବୋଲି ବୈଠକରେ ଟାଟା ପାୱାର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, କଟକର ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା କଟକର ଐତିହ୍ୟ, ପରମ୍ପରା ଓ ଭାଇଚାରାର ଏକ ଅନନ୍ୟ ପରିଚୟ। ତେଣୁ ପୂଜା ସମୟରେ ସହରବାସୀ ଓ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ସୁରକ୍ଷିତ ଓ ସୁବିଧାଜନକ ପରିବେଶ ପାଇପାରିବେ, ସେଥିପାଇଁ ସମସ୍ତ ବିଭାଗ ଓ ପୂଜା କମିଟି ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।
ସେ ଶାନ୍ତି କମିଟି, ପୂଜା କମିଟି, କର୍ପୋରେଟର ଓ ଟାଟା ପାୱାର ଅଧିକାରୀମାନଙ୍କୁ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ବୈଠକରେ କଟକର ବିଭିନ୍ନ ଅଞ୍ଚଳର ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ପୂଜା ସମୟରେ ଆବଶ୍ୟକ ବିଦ୍ୟୁତ୍ ସୁବିଧା ଏବଂ ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ମତାମତ ଓ ପ୍ରସ୍ତାବ ଦିଆଯାଇଥିଲା। ସେଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥିଲା।
ବୈଠକରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବେହେରା, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସାହୁ, ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନିମାଇ ଚରଣ ସାହୁ , ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, କୋଷାଧକ୍ଷ ନୁରସିଂହ ଚୌଧୁରୀ ପମୁଖ ଉପସ୍ଥିତ ଥିଲେ।
ବିଭିନ୍ନ ପୂଜା କମିଟି ପକ୍ଷରୁ ଶେଖ୍ ବଜାର ପୂଜା କମିଟି ସଭାପତି କିଶୋର ବେହେରା, ସଭାପତି ଗୌତମ ପରିଡା , ଶଙ୍କରପୁର ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ପରିଡା , ମାଲଗୋଦାମ ପୂଜା କମିଟି ସଭାପତି ସୁଭାଶିଷ ପଟ୍ଟନାୟକ, ଚୌଧୁରୀ ବଜାର ପୂଜା କମିଟି ଦେବାଶିଷ ରାୟ, ଆଞ୍ଚଳିକ ପୂଜା କମିଟି ସଭାପତି ରଘୁ ପ୍ରସାଦ ଶତପଥୀ, ଗୋପାଳପୁରର ଶରତ ସାହୁଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ଏହା ସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ, ପ୍ରଳୟା ବେଉରା, ଏ. ଶ୍ରୀଦେବୀ, ବିରୋଧୀ ଦଳ ନେତା ସନ୍ତୋଷ ଭୋଳ, ବିକାଶ ବେହେରା, ମୁନା ଘଡ଼େଇଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ।
ଟାଟା ପାୱାର ପକ୍ଷରୁ ଚିଫ୍ ଅପରେସନ୍ ଅଧିକାରୀ ସୁଧାକର ବେହେରା, ମୁଖ୍ୟ ଯନ୍ତ୍ରୀ ଅମରଜିତ୍ ପଟ୍ଟନାୟକ, ପ୍ରଭାତ ପରିଡ଼ା, ମନୋଜ ସାହୁ ଏବଂ ଏସ୍‌ଡିଓଙ୍କ ସମେତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।
ଶେଷରେ ବୈଠକରେ ଏକମତ ପ୍ରକାଶ ପାଇଥିଲା ଯେ, କଟକର ଦୁର୍ଗାପୂଜାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ବ୍ୟବସ୍ଥା ସହ ସଫଳ କରିବା ପାଇଁ କଟକ ମହାନଗର ନିଗମ, ଟାଟା ପାୱାର, ଶାନ୍ତି କମିଟି, ପୂଜା କମିଟି ଓ ଜନପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *