



ରାୟଗଡ , (ଅଜୟ ରଥ) : ରାୟଗଡ ଓଭର ବ୍ରିଜ ମରାମତି ବାବଦରେ ଖର୍ଚ୍ଚ ହେଲା ୪ କୋଟି କିନ୍ତୁ ସ୍ଥିତି ଯଥା ପୂର୍ବମ୍ ତଥା ପରମ୍। ମରାମତି ପରେ ସୁଧାର ଆସିବା ତ ଦୂରର କଥା ବରଂ ଯୋଡି ହୋଇଛି ନୂଆ ସମସ୍ୟା। କିଛି ମାତ୍ରାରେ ସୁଧାର ଆସିଥିବା ବେଳେ ନିମ୍ନମାନର ମରାମତି ଯୋଗୁଁ ଧୀରେ ଧୀରେ ପୂର୍ବ ପରିସ୍ଥିତିକୁ ଫେରିବା ଆରମ୍ଭ ହୋଇଛି। ଯାହାକି ୪ କୋଟି ବ୍ୟୟରେ ମରାମତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ରାୟଗଡ଼ାର ଲାଇପ୍ ଲାଇନ୍ କୁହାଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ରେଳ ଓଭର ବ୍ରିଜରେ ଗତ ୬ମାସ ତଳେ ଜାତୀୟ ରାଜପଥ ବିଭାଗ ଅଧୀନରେ ପ୍ରାୟ ୪ କୋଟି ବ୍ୟୟରେ ଜେ କେ ପୁର ରେ ରହିଥିବା ନାଗାବଳୀ ବ୍ରିଜ ଏବଂ ଓଭର ବ୍ରିଜର ପୁନଃରୁଦ୍ଧାର କାମ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଧର୍ମକୁ ଆଖି ଠାର ଭଳି ରାୟଗଡ଼ର ଓଭର ବ୍ରିଜରେ ମରାମତି କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି। ବହୁ ବର୍ଷ ଧରି ଏହି ବ୍ରିଜ ସମ୍ପୂର୍ଣ ମରଣ ଜନ୍ତା ପାଲଟିଥିଲା। ବିଭିନ୍ନ ରାଜନୈତିକ ଦଳ,ସଂଗଠନ,ଜନସାଧାରଣ ମରାମତି ପାଇଁ ବାରମ୍ବାର ଦାବି କରି ଆସୁଥିଲେ। ମରାମତି ପରେ ଖାଲ ଗୁଡିକ ଲୁଚିଲା ସତ କିନ୍ତୁ ମାଷ୍ଟିକ୍ ଆସଫାଲ୍ଟ ଆବଶ୍ୟକ ସ୍ତର ଅନୁଯାୟୀ ହୋଇ ନଥିବାରୁ ପ୍ରତ୍ୟକ ଜଏଣ୍ଟରେ ସୃଷ୍ଟି ହୋଇଛି ୩୭ ଟି ହମ୍ପସ।ଯାହା ଦ୍ୱାରା ଜାତାୟତରେ ଦୁଇ ଚକିଆ ,ଚାରି ଚକିଆ ଆରୋହୀଙ୍କୁ ଝଟକା ଖାଇ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଏହି ବ୍ରିଜ ଦେଇ ପ୍ରତ୍ୟକ ଦିନ ଶତାଧିକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଯିବା ବେଳେ ରୋଗୀଙ୍କ ଅବସ୍ଥା ନ କହିବା ଭଲ। ବିଶେଷ କରି ଗର୍ଭବତୀ ମା ମାନଙ୍କୁ କିଭଳି ମେଡିକାଲରେ ପହଂଚାଇବେ ସେ ନେଇ ଆମ୍ବୁଲାନ୍ସ ଡ୍ରାଇଭର ତପ୍ତର ରହୁଥିବା ବେଳେ ଓଭର ବ୍ରିଜ ଆସିଲେ ଗାଡି ଧୀରେ ନେବାକୁ ବାଧ୍ୟ ହେଉଛନ୍ତି ।କାରଣ ଗର୍ଭବତୀ ମା ମାନଙ୍କୁ ନେଇ ଯିବା ବେଳେ କେତେ ବେଳେ ଷ୍ଟେଚର ରୁ ଖସି ଯାଉଛନ୍ତି ତ ଆଉ କେତେବେଳେ ଦୋହଲିବା ଦ୍ୱାରା ଅସହ୍ୟ ଯନ୍ତ୍ରଣା ରୋଗୀଙ୍କୁ ସହିବାକୁ ପଡୁଛି ବୋଲି କହିଛନ୍ତି ଆମ୍ବଲାନ୍ସ ଡ୍ରାଇଭର ସୁକାନ୍ତ ପଣ୍ଡୁ। କେବଳ ସେତିକି ନୁହେଁ କିଛି ବର୍ଷ ପୂର୍ବେ ଅଗ୍ନିକାଣ୍ଡ ଘଟି ବ୍ରିଜ ଦୁର୍ବଳ ହୋଇଥିବାରୁ ବ୍ରିଜ ତଳ ଭାଗରେ ସୁରକ୍ଷା ପାଇଁ ଲୁହା ଭରା ଦିଆଯାଇଥିବା ବେଳେ ତାହା ମଧ୍ୟ ମରାମତି କରି ବାହାର କାରାଯାଇ ନାହିଁ। ମରାମତି ପରେ ବି
ତଳ ଭାଗ ଅନେକ ସ୍ଥାନରେ ଲୁହା ଛଡ଼ ପୂର୍ବ ଭଳି ଦେଖା ଯାଉଛି। ପ୍ରତ୍ୟକ ପିଲର ରେ ଗଛ ଗୁଡିକୁ ମଧ୍ୟ ସଫା କରାଯାଇନାହିଁ। ବ୍ରିଜ ଉପର ଭାଗରେ ପୂର୍ବରୁ ଯେଉଁ ଛୋଟିଆ ଗାତ ରହିଥିଲା ତାକୁ ମରାମତି କରା ଯାଇନଥିବାରୁ ବର୍ତ୍ତମାନ ତାହା ଧୀରେ ଧୀରେ ବଢିବାକୁ ଲାଗିଥିବା ବେଳେ କିଛି ନୂଆ ଗାତ ସୃଷ୍ଟି ହୋଇଛି। ମରାମତି ପରେ ବି ବ୍ରିଜର ଏଭଳି ସ୍ଥିତିକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ରାୟଗଡ ବିଧାୟକ ଆପଲସ୍ୱାମୀ କାଡ୍ରାକା।
ଗୋଟିଏ ପଟେ ବ୍ରିଜ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଭାରିଯାନ ଚଳାଚଳକୁ ନେଇ ପ୍ରଶାସନ ତରଫରୁ କଟକଣା କଡାକଡି କାରାଯାଉ ନାହିଁ ଫଳରେ ବ୍ରିଜର ସ୍ଥାୟୀତ୍ୱକୁ ନେଇ ବର୍ତମାନ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଏ ନେଇ ଜାତୀୟ ରାଜପଥ ବିଭାଗ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର
ସମ୍ୟାର୍ଜନି ସେଠୀଙ୍କୁ ଯୋଗାଯୋଗ କରିବାରୁ ବ୍ରିଜ ତଲପାଖରେ ଖଞ୍ଜା ଯାଇଥିବା ଲୁହା ବାହାର କଲେ କୌଣସି ଅସୁବିଧା ନାହିଁ କିନ୍ତୁ ତାହା ବାହାର କରାଯିବ ନାହିଁ ଏବଂ ଏଜେନ୍ସିର 2 ବର୍ଷ ମେଣ୍ଟେନାଂନ୍ସ ରହିଛି । ଛୋଟିଆ ଗାତ,ପିଚୁ ଢଳା ଯାଇନଥିବା ସ୍ଥାନ ଭଳି ଯାହା ସମ୍ପୂର୍ଣ ହୋଇନାହିଁ ତାକୁ କରାଜୀବ ବୋଲି କହିଥିଲେ କିନ୍ତୁ ଆଜିକୁ ଦୀର୍ଘ ୩ ମାସ ବିତି ଯାଇଥିଲେ ବି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଛୋଟିଆ ଗାତ ବିରାଟ ରୂପ ଧାରଣ କରିବାରେ ଲାଗିଛି। ଏହାକୁ ନେଇ ବର୍ତ୍ତମାନ ବ୍ରିଜର ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।