କଟକ, ୦୩।୧୦: କଟକ ସହରର ପୁରାତନ ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ଅନ୍ୟତମ ଶ୍ରୀ ଶ୍ରୀମଦ୍ ଭାଗବତ ଗାଦି, ଗଣେଶ ଘାଟ, ସାହେବଜାଦା ବଜାର ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମଥର ପାଇଁ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ପ୍ରଭୁ ଶ୍ରୀ ଭାଗବତ ଗୋସାଇଁ ଓ ଗ୍ରାମଦେବୀ ମା’ ବୁଢି ହରଚଣ୍ଡୀଙ୍କ ଅପାର କରୁଣାରୁ ଏହି ଚାନ୍ଦିମେଢ଼ ନିର୍ମାଣ ସମ୍ଭବ ହୋଇଥିବା ପୂଜା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଆସନ୍ତା ୧୫ ଅକ୍ଟୋବର, ଗୁରୁବାର, ପଞ୍ଚମୀ ତିଥିରେ ଅପରାହ୍ନ ୪ଟା ସମୟରେ ଭାଗବତ ଗାଦି ଛକସ୍ଥିତ ପୂଜାମଣ୍ଡପଠାରେ ଏହି ଚାନ୍ଦିମେଢ଼ର ଶୁଭ ଉଦ୍ଘାଟନ କରାଯିବ।
ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ପୁରାତନ ପୂଜାମଣ୍ଡପରେ ପୂର୍ବରୁ ବସା ପିତୁଳା ପୂଜା ଅନୁଷ୍ଠିତ ହେଉଥିଲା। ପରବର୍ତ୍ତୀ ସମୟରେ ଦୀର୍ଘବର୍ଷ ଧରି ଏଠାରେ ହରପାର୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ଗଣେଶ ଘାଟ, ସାହେବଜାଦା ବଜାର, ଭାଷାକୋଷ ଲେନ୍, ରମାନାଥ ଲେନ୍ ସମେତ ବିଭିନ୍ନ ସାହି ଓ ଅଞ୍ଚଳ ଏହି ପୂଜାମଣ୍ଡପ ସହିତ ସଂଯୁକ୍ତ ରହିଛି।
ଏହି ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଭାଇଚାରାର ସହ ଦୀର୍ଘଦିନ ଧରି ବସବାସ କରିଆସୁଛନ୍ତି। ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ସମାନ ଅଧିକାର ଓ ସମ୍ମାନ ଦିଆଯାଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହା ମାଧ୍ୟମରେ କଟକ ସହରର ଭାଇଚାରା ପରମ୍ପରାର ଏକ ସୁନ୍ଦର ନିଦର୍ଶନ ଏଠାରେ ଦେଖିବାକୁ ମିଳେ।
ପ୍ରାୟ ୧୮୦ କିଲୋଗ୍ରାମ ଚାନ୍ଦିରେ ଏହି ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଏହାର ଡିଜାଇନ୍ ସୂର୍ଯ୍ୟନାରାୟଣ ପରିଡ଼ା କରିଥିବା ବେଳେ ସୁନାମଧନ୍ୟ ଓ ଅଭିଜ୍ଞ ଚାନ୍ଦି କାରିଗର ବିଶ୍ୱନାଥ ଦେ, ଅଜୟ ଦେ, ବିଜୟ ଦେ ଓ ସେମାନଙ୍କ ସହକର୍ମୀମାନେ ଏହାର ନିର୍ମାଣ କରିଛନ୍ତି।
ସାହିର ବାସିନ୍ଦା ଓ ବ୍ୟବସାୟୀମାନଙ୍କ ସ୍ୱଇଚ୍ଛାକୃତ ଦାନ ଏବଂ ମୁକ୍ତହସ୍ତ ସହଯୋଗରେ ଏହି ଚାନ୍ଦିମେଢ଼ ନିର୍ମାଣ କାର୍ଯ୍ୟ ସଫଳ ହୋଇପାରିଛି। ଏହି ମହତ୍ କାର୍ଯ୍ୟରେ ସାହିର ମୁରବୀ, ପୂଜା କମିଟିର କର୍ମକର୍ତ୍ତା ଏବଂ ଯୁବକ ସଂଘର ସଭାପତି ଓ ସମ୍ପାଦକଙ୍କ ଭୂମିକା ପ୍ରଶଂସନୀୟ ବୋଲି କମିଟି ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟି ସଭାପତି ସୌର୍ଯ୍ୟକାନ୍ତ ପାଢ଼ୀ, କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଚୌଧୁରୀ ଓ କାହ୍ନୁଚରଣ ବେହେରା, ସମ୍ପାଦକ ଲକ୍ଷ୍ମୀଧର ବେହେରା ଓ ମନୋରଞ୍ଜନ ପଶାୟତ, ଯୁବକ ସଂଘ ସଭାପତି ରମେଶ ଚନ୍ଦ୍ର ବେହେରା, ସମ୍ପାଦକ ହେବାଶିଷ ମହାପାତ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ। କଟକ ମହାନଗର ନିଗମ ୨୦ ନଂ ୱାର୍ଡର କର୍ପୋରେଟର ଲକ୍ଷ୍ମୀଧର ବେହେରାଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ।