ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ

କଟକ୍ ତା ୨/୯ – କେନ୍ଦ୍ର ବିଜେପି ସରକାର ସଂସଦରେ ବିନା ଆଲୋଚନାରେ ପାସ୍ କରିଥିବା ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ ୨୦୨୬ ,ଦେଶର ଖଣିଜ ସମ୍ପଦକୁ ବଡ଼ ବଡ଼ କର୍ପୋରେଟ୍ ଗୋଷ୍ଠୀଙ୍କ ହାତକୁ ସମ୍ପୁର୍ଣ୍ଣ ଭାବରେ ଟେକି ଦେବ ଓ ସହ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରିବ ବୋଲି ଆଜି କଟକ୍ ଠାରେ ଅନୁଷ୍ଟିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଆଇନ ରାଜ୍ୟ ସରକାରକୁ ଖଣି ମାଲିକ ମାନଙ୍କ ଠାରୁ ପ୍ରାୟ ୧ ଲକ୍ଷରୁ ୧.୨୫ଲକ୍ଷ କୋଟି ବାକିଆ ଟଙ୍କା ପାଇବାର ସୁଯୋଗରୁ ବଞ୍ଚିତ କଲା। ଏହା ବ୍ୟତୀତ ଖଣିଜ ଦ୍ରବ୍ୟ ଉପରେ ସେସ୍ ବା କର ଆଦାୟର ଅଧିକାରରୁ ରାଜ୍ଯ ମାନଙ୍କ ଅଧିକାର ଛଡ଼ାଇ ନିଆଗଲା। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୨ ହଜାରରୁ ୧୭ ହଜାର କୋଟି ଟଙ୍କା ହରାଇବ। କର୍ପୋରେଟ କମ୍ପାନୀ ମନେ ଲଗାମ୍ ଛଡ଼ା ଖଣିଜ ସଂପଦ ଉତ୍ତୋଳନ କରି ମୁନାଫା ଲୁଟ କରିବେ। ଏହା ସହିତ ଖଣି ମାଲିକ ମାନେ ଲିଜ ପାଇଥବା ଜାଗା ବାହାରେ ମଧ୍ୟ ଖଣି ଖୋଳିବା ର ସୁଯୋଗ ପାଇବେ। କ୍ରିଟିକାଲ ଖଣିଜ କ୍ଷେତ୍ରରେ ମଧ୍ୟ ଏକଚାଟିଆ ଖଣି ମଲିକ ମାନଙ୍କୁ ଅନେକ ରିହାତି ଦିଆଯାଇଛି।

ଏହି ପରିସ୍ଥିତିରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ), ସିପିଆଇ(ଏମ୍ଏଲ) ରେଡ୍ ଷ୍ଟାର୍, ସିପିଆଇ (ଏମ୍ଏଲ୍) ନିୟୁ ଡେମୋକ୍ରେସି ଓ ସିପିଆଇ (ଏମ୍ ଏଲ) ପକ୍ଷରୁ ସଂଶୋଧିତ ଖଣି ଆଇନ, ୨୦୨୬ ପ୍ରତ୍ୟାହାର କରିବା,ରାଜ୍ୟମାନଙ୍କ ଖଣିଜ ରାଜସ୍ୱ ଓ କର ଆଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷିତ ରଖିବା, ଖଣିଜ ସମ୍ପଦଶାଳୀ ରାଜ୍ୟମାନଙ୍କ ବକେୟା ରାଜସ୍ୱ ଆଦାୟର ଅଧିକାର ସୁରକ୍ଷିତ ରଖିବା , କ୍ୟାପ୍ଟିଭ୍‌ ଖଣିର ଖଣିଜ କୁ ବାଣିଜ୍ୟିକ ବିକ୍ରି କରିବାର ନୀତିକୁ ରଦ୍ଧ କରିବା, ଖଣି ଅଞ୍ଚଳ ବିସ୍ତାରରେ ଗ୍ରାମସଭା, ଆଦିବାସୀ ଅଧିକାର, ଜଙ୍ଗଲ ଅଧିକାର ଓ ପରିବେଶ ଆଇନର ସମସ୍ତ ସୁରକ୍ଷା ଅକ୍ଷୁଣ୍ଣ ରଖିବା, ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ଜଳ ଓ ଜୀବିକାର ଅଧିକାର ସୁରକ୍ଷିତ ରଖିବା, ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଖୋଲାଯାଇଥିବା ଖଣିଗୁଡ଼ିକର ସାମାଜିକ, ଆର୍ଥିକ ଓ ପରିବେଶଗତ ସମୀକ୍ଷା କରିବା ପ୍ରମୁଖ ଦାବିରେ ଆନ୍ଦୋଳନ ଗଢି ତୋଳିବାପାଇଁ ଡାକରା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ବସନ୍ତ ନାୟକ ଓ ଭଗ୍ୟରାବି ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *