ଯେଣୁ ସୃଷ୍ଟିକର୍ତ୍ତା ଅତୀବ ସୁନ୍ଦର
ସୁନ୍ଦର ତାଙ୍କ ସୃଜନ,
ସଂସାର ମଧ୍ୟରେ ମାନବ ସୁନ୍ଦର
ସିଂହ ସୁନ୍ଦର ଅରଣ୍ୟ ।
ସିଂହବାହିନୀ ମା’ ଦୁର୍ଗା ସୁଶୋଭିତା
ଉତ୍ସବୀୟ ଦୁର୍ଗୋତ୍ସବ,
ସିଂହକଟୀ ଯୁବା ଶୃଙ୍ଗାର ମୋହିତା
ସିଂହ ପ୍ରାଣୀ ଯେ’ ବିଭବ ।
ସିଂହଦ୍ଵାର ମୁଖ୍ଯ ଶ୍ରୀମନ୍ଦିର ଦ୍ବାର
ଅତୀବ ଶୋଭା ବର୍ଦ୍ଧନ,
ଅନ୍ଯାନ୍ଯ ମନ୍ଦିରେ ମୁଖ୍ଯ ଆକର୍ଷଣେ
ସିଂହ ମୂର୍ତ୍ତି ବିଦ୍ଯମାନ ।
ମଞ୍ଚ ଦରବାରେ ମୁଖ୍ଯ ଗାଦି ଭବ୍ଯ
ସିଂହାସନ ବରାଭୟ,
ଚତୁର୍ଦ୍ଦିଗ ସିଂହ ମୂର୍ତ୍ତିରେ ଶୋଭନ
ଅଶୋକସ୍ତମ୍ଭ ନିର୍ଣ୍ଣୟ ।
ଦେବ-ଦେବୀ ଅବା ବର-କନ୍ଯା ଦିବ୍ଯ
ସିଂହାର ବେଶ ବିନ୍ଯାସ,
ବୀରର ହୁଙ୍କାର ସିଂହଧ୍ବନି ଶବ୍ଦ
ବିଜୟାନନ୍ଦ ଆଭାସ ।
ରାଶି-ନକ୍ଷତ୍ରରେ ସିଂହ ପଞ୍ଚମ ଯେ’
ରାଶିଚକ୍ର ମଧ୍ଯେ ଶ୍ରେଷ୍ଠ ,
ସିଂହ ସଂକ୍ରାନ୍ତି’ରେ ଭାଦ୍ରବ ଆରମ୍ଭ
ଭୀଷଣ ସିଂହ ମହତ୍ତ୍ବ ।
ଦର୍ପ ଆସ୍ଫାଳନ ଶତ-ସିଂହ ବଳ
ଯୋଦ୍ଧା ମାନବ ଦାନବ,
ସିଂହ ଶବଦର ମାହାତ୍ମ୍ଯ ଏମନ୍ତ
ସିଂହ ଉପାଧି ବୈଭବ ।
ଦକ୍ଷିଣ ଭାରତ ମହାସାଗରରେ
ଶ୍ରୀଲଙ୍କା ସିଂହଳ ଦ୍ବୀପ,
ସିଂହଳୀୟ ସିଂହ ପରାୟ ଶକ୍ତିରେ
ଦୃଢ଼ ପ୍ରବଳ ପ୍ରତାପ ।
ପ୍ରବନ୍ଧ ନିବନ୍ଧ ସିଂହାବଲୋକନ
ସାହିତ୍ୟାୟନ ବୈଦୂର୍ଯ୍ଯ,
ସିଂହ ଶବ୍ଦାୟନ ଗୌରବ ସୌରଭ
ପରମେଶ୍ଵର ଐଶ୍ଵର୍ଯ୍ୟ ।
ବାଘ ଭାଲୁ ପରି ମାଂସାଶୀ ହିଂସ୍ରକ
ସିଂହ ଜଙ୍ଗଲ ସମ୍ରାଟ,
ଚତୁଷ୍ପଦ ପ୍ରାଣୀ ମୁଖେ ନିଶ-ଦାଢ଼ି
ରାଜକୀୟ ଉପବିଷ୍ଟ ।
ବିଦେଶୁ ଆନୀତ ଭାରତେ ଶୋଭିତ
ଏସିଆ ମହାଦେଶୀୟ ,
ଆଫ୍ରିକୀୟ ସିଂହ ଅତୀବ ସୌନ୍ଦର୍ଯ୍ଯ
ସଦୃଶ୍ୟ ଆକର୍ଷଣୀୟ ।
ଭାରତରେ ସଂଖ୍ୟା – ଲଘୁରେ ଗଣନ
ଆଫ୍ରିକା ଦେଶେ ବହୁଳ,
ସାରା ପୃଥିବୀରେ ପଚିଶ ହଜାର
ସ୍ଥିତି ଦୁର୍ଦ୍ଦଶା ଦୁର୍ବଳ ।
ଚିଡ଼ିଆଖାନାରେ ପଶୁ-ପକ୍ଷୀ ସାଥେ
ସ୍ବତନ୍ତ୍ର ଆବଦ୍ଧାୟନ,
ସିଂହର ଦର୍ଶନେ ଗର୍ଜନେ ମୋହିତ
ଦର୍ଶନୀୟ ସୁପ୍ରସନ୍ନ ।
ସିଂହମାନଙ୍କର ବର୍ଦ୍ଧନ ଯତନ
ବନ୍ଯ-ପ୍ରାଣୀ ସଂରକ୍ଷଣ,
ସର୍କାରୀ ଦପ୍ତର ମନ୍ତ୍ରୀ ବିଭାଗୀୟ
ବିଚାର୍ଯ୍ୟେ ସ୍ବତନ୍ତ୍ର ଧ୍ୟାନ ।
ଏମନ୍ତ ବିଚାର୍ଯ୍ୟ ଦି’ ହଜାର ତେର
ମସିହା ଅଗଷ୍ଟ ଦଶ,
ରାଷ୍ଟ୍ର ସାମୂହିକ ଚେଷ୍ଟା ନିଷ୍ଠା ରକ୍ଷା
ଯେ’ ବିଶ୍ବ ସିଂହ ଦିବସ ।
ହେ ନର ପୁଙ୍ଗବ ସିଂହ ପ୍ରାୟ ଖାଅ
ଦୁର୍ନୀତି-ରାକ୍ଷସ ମାଂସ,
ମୃଗ-ମୃଗୁଣୀର ସୁରକ୍ଷା ଚିନ୍ତନେ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/ Jatiya Pragati Abhiyan