ସୃଷ୍ଟି ସର୍ଜନ ଓ ରକ୍ଷଣାବେକ୍ଷଣେ
ବ୍ରହ୍ମା ବିଷ୍ଣୁ ମହେଶ୍ୱର,
ଆହାଃ କି ସୁନ୍ଦର ଏ ସୃଷ୍ଟି ସର୍ଜନ
ମର୍ତ୍ତ୍ୟ ଲାଗେ ସ୍ବର୍ଗପୁର ।
ବୃକ୍ଷଲତା ସାଥେ ଜୀବଜନ୍ତୁ ମଧ୍ଯେ
ପ୍ରାକୃତିକ ସନ୍ତୁଳନ,
ମାଂସାହାରୀ ସାଥେ ତୃଣଭୋଜୀ ମଧ୍ଯେ
କ୍ରମ ହିଂସ୍ରକ ପାଳନ ।
ବିଚିତ୍ର ଏ ଜୀବ ହାତୀ ଯା’ର ନାମ
ଦୀର୍ଘ ପୃଥୁଳ ଶରୀର,
ଶ୍ରଦ୍ଧା ମାନ୍ଯେ ପୋଷ୍ଯ ଅଶ୍ରଦ୍ଧାରେ ହିଂସ୍ର
ଚରାଚରେ ହାତୀପଲ ।
ହସ୍ତିନୀ ପ୍ରସବେ ରକ୍ତପିଣ୍ଡୁଳାଟେ
କାନରେ ବିଞ୍ଚେ ପବନ,
ସାତଘଣ୍ଟା ପରେ ରକ୍ତପିଣ୍ଡୁଳାଟି
ହାତୀଛୁଆ ଦୃଶ୍ଯମାନ ।
ଖମ୍ବାକାର ପାଦ ଚକ୍ଷୁ ଲାଞ୍ଜ କ୍ଷୁଦ୍ର
ଲମ୍ବା ନାଶିକ ଯେ’ ଶୁଣ୍ଢ,
କୁଲା ପରି କର୍ଣ୍ଣ ତ୍ରିରଙ୍ଗରେ ଦୃଶ୍ଯ
ଗୋଲାକାର ବଡ଼ ମୁଣ୍ଡ ।
ଥାଇଲାଣ୍ଡ ଅଟେ ଶ୍ବେତ-ହସ୍ତୀ ଦେଶ
ଅନ୍ଯେ ମାଟିଆ କଜଳ,
ସ୍ବକାର୍ଯ୍ଯ ସମ୍ପନ୍ନ ଶୁଣ୍ଢ ବଳୀୟାନ
ଶାବକ ସ୍ନେହବତ୍ସଳ ।
ହାତୀର ଓଜନ ପ୍ରାୟ ସାତ ଟନ
ସଂଖ୍ୟା ବିଶ୍ବେ ପାଞ୍ଚଲକ୍ଷ,
ତେଇଶ ହଜାର ଭାରତରେ ପ୍ରାୟ
ନ’ଶହ ଉତ୍କଳ ବକ୍ଷ ।
ଖାଦ୍ଯ ଡାଳପତ୍ର ଓ ବିଭିନ୍ନ ଫଳ
ଗହମ ଚାଉଳ ଶସ୍ଯ,
ବନ୍ଯ ପ୍ରାନ୍ତରରେ ଖୋଜି ବୁଲେ ପ୍ରିୟ
ଖାଦ୍ଯ ଯେ’ ଗଜା ବାଉଁଶ ।
ନିର୍ଭୟ ଆବାସ ପ୍ରାକୃତିକ ବନ
ପୋଷ୍ଯରେ ଗ୍ରାମ୍ଯ-ନଗର,
ପୋଷ୍ଯସୂତ୍ର ବାଲ୍ଯ- କାଳରୁ ମାହୁନ୍ତ
ଚଳପ୍ରଚଳେ ପ୍ରବର ।
ଅଶ୍ବ ପରି ଧାବ ନ ହେଲେ ବି ଗଜ
ରଣକ୍ଷେତ୍ରେ ପାରଙ୍ଗମ,
ମହାଭାରତରେ ଲକ୍ଷାଧିକ ହସ୍ତୀ
ରଣକୌଶଳେ ସୁଗମ ।
ହାତୀପଲ ଗତି ସୁଦୃଶ୍ୟ ଆଭାସୀ
ଦନ୍ତାହାତୀ ଓ ଶାବକ,
ବିଜୟାଭିଯାନେ ବୀରଦର୍ପେ ସତେ
ରାଜା-ମନ୍ତ୍ରୀ ଓ ସୈନିକ ।
ଅଶିକ୍ଷିତ ଜନ ଗଜମୂର୍ଖ ଭାଳ
ଶିକ୍ଷିତ-ଜ୍ଞାନୀ ପଣ୍ଡିତ,
ନର ବା କିନ୍ନର ଅଶ୍ବତ୍ଥମା ହତ
ହସ୍ତୀଜ ମହାଭାରତ ।
ଗଙ୍ଗାଠାରୁ ଗୋଦା- ବରୀ ବିଜୟାନ
ହସ୍ତୀ ପୃଷ୍ଠେ କପିଳେନ୍ଦ୍ର,
ସମୁଦ୍ର-ମନ୍ଥନୁ ଐରାବତ ହସ୍ତୀ
ପ୍ରାପ୍ତ ଦେବରାଜ ଇନ୍ଦ୍ର ।
ପୁରାଣେ ବର୍ଣ୍ଣିତ ସ୍ବୟଂ ନାରାୟଣ
ଗଜ-ଉଦ୍ଧାରଣ ବେଶ,
ମାଘ ପୂର୍ଣ୍ଣିମାରେ ରୀତି-ନୀତି ପ୍ରଭୁ
ଶ୍ରୀ ଜଗନ୍ନାଥ ଆଶିଷ ।
ଗଜ ନାମେ ସ୍ବୟଂ ଠାକୁର ରାଜା ଯେ’
ଗଜପତି ମହାରାଜ,
କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା
ଶ୍ରୀବିଷ୍ଣୁ-ଲକ୍ଷ୍ମୀ ବିରାଜ ।
ବିଦ୍ଯାଦାତା ପ୍ରଭୁ ଶ୍ରୀଗଣେଶ ଦିବ୍ଯ
ହସ୍ତୀର ମୁଖମଣ୍ଡଳ,
ପାର୍ବତୀନନ୍ଦନ ନାମ ଗଜାନନ
ସତ୍ୟଯୁଗୀୟ ଅଶ୍ରୁଳ ।
ନଡ଼ିଆ କଦଳୀ ଧାନ ମୁଗ ବିରି
ହସ୍ତୀକୁ ଦେଲେ ଆହାର,
ଧୀର ଗର୍ଜନରେ ଶୁଣ୍ଢ ଟେକି ଦିଏ
ଆଶୀର୍ବାଦ ଝର-ଝର ।
ଚର୍ମ ଅସ୍ଥି ଦନ୍ତ ବହୁ ମୂଲ୍ୟବାନ
ନିର୍ମିତ ବସ୍ତୁ ସମ୍ପଦ,
ହସ୍ତୀ ମଳେ ସ୍ନାନ ଦେହ ହୃଷ୍ଟପୁଷ୍ଟ
ଦନ୍ତେ ପଲଙ୍କ ସୁଖଦ ।
କୌତୁକ ସାହିତ୍ଯ ସଦା ମହକିତ
ହାତୀ ପିଠିରେ ଯେ’ ବାଘ,
ବନସ୍ତେ ଡାକିଲା ଗଜ ବୋଲି ରଜ
ସଂଗୀତ-ସଂସ୍କୃତି ଅର୍ଘ ।
ହସ୍ତୀ ପୃଷ୍ଠେ ରାଜା ନଗର ଭ୍ରମଣ
ଉତ୍ସବେ ଶିଶୁ-କିଶୋର,
ଏମନ୍ତ ଦୁର୍ମୂଲ୍ଯ ହସ୍ତୀକୁ ମାଫିଆ
ଲୋଭେ କରନ୍ତି ଶିକାର ।
ଅବୈଧ ଶିକାର ଦଣ୍ଡ ଅପରାଧ
ବନ୍ଯ-ବିଭାଗ ବିଧାନ,
ସର୍କାରୀ ଦପ୍ତରେ ଆଇନକାନୁନ
ବନ୍ଯପ୍ରାଣୀ ସଂରକ୍ଷଣ ।
ହସ୍ତୀ ସୁରକ୍ଷାରେ ସଚେତନ ଜ୍ଞାନେ
କାନାଡ଼ା ଓ ଥାଇଲାଣ୍ଡ,
ଦି’ ହଜାର ବାର ମସିହା ଅଗଷ୍ଟ
ବାର ତାରିଖ ଉଦ୍ଯୋଗ ।
ପ୍ରାଣୀ ସଂରକ୍ଷଣେ ଶୁଭ ବାର୍ତ୍ତାବହ
ସ୍ବଚ୍ଛ ବିଚାର-ବିମର୍ଶ ,
ଅନ୍ତର୍ ଜାତୀୟ ହସ୍ତୀ ଦିବସରେ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/ Jatiya Pragati Abhiyan