ବରଷା ଗୋ’ ତୁମେ

ବରଷା ଗୋ’ ତୁମେ ଆଦ୍ଯ ଆଷାଢ଼ର
ଭୁରୁଭୁରୁ ମାଟି ଗନ୍ଧ ,
ତବ ଆଗମନେ ବସୁମତୀ ସ୍ନାନ
ମହକଇ ମକରନ୍ଦ ।୧।

ବରଷା ଗୋ’ ତୁମେ ଆଷାଢ଼ର ଶିଶୁ
ଗୁଲୁଗୁଲିଆ ଚପଳ ,
ଧରଣୀ ବକ୍ଷରେ ନୂପୁର ପାଦରେ
ରୁଣୁଝୁଣଉ ଅଞ୍ଚଳ ।୨।

ବରଷା ଗୋ’ ତୁମେ ମାଟିର ଚନ୍ଦନ
ଟୁପୁରୁଟାପର ସ୍ବର ,
ସାଧବବୋହୂର ଅଳତା ରଙ୍ଗରେ
ଲାବଣ୍ଯବତୀ ଶରୀର ।୩।

ବରଷା ଗୋ’ ତୁମେ ଉଛୁଳା ଯୌବନେ
ସୁନ୍ଦରୀ ଶାଢ଼ୀ ସୁରମ ,
ମାତାଲ ଆଖିରେ ଚାହିଁଦେଲେ ବାରେ
ନଈରେ ଫୁଟେ ପଦମ ।୪।

ବରଷା ଗୋ’ ତୁମେ ନୀଳ ଆକାଶରେ
ଇନ୍ଦ୍ରଧନୁରେ ଶୋଭିତ ,
ଖିଲିଖିଲି ହସ ମହୁରୀ ବାଦନ
ବେଙ୍ଗ-ବେଙ୍ଗୁଲୀ ସଂଗୀତ ।୫।

ବରଷା ଗୋ’ ତୁମେ କଳା-ବାଦଲରେ
ବିଜୁଳି-କନ୍ଯା ବାରୁଦ,
ଝଲକ ଝଟକ ଚକିତ ଚଡ଼କ
ତାଳଗଛ ବକ୍ଷ ଭେଦ ।୬।

ବରଷା ଗୋ’ ତୁମେ ବାଦଲ ଉହାଡ଼େ
ଯେ’ ଘଡ଼ଘଡ଼ି ଗର୍ଜନ ,
ମୟୂର-ମୟୂରୀ ନୃତ୍ୟାଭିନୟରେ
ପରସ୍ପର ଆଲିଙ୍ଗନ ।୭।

ବରଷା ଗୋ’ ତୁମେ ମେଘସବାରିରେ
ରଜନୀ ରୋଶଣି ଶଙ୍ଖ ,
ରଜନୀଗନ୍ଧାର ସୁବାସ ମହକେ
ଫୁଲଇ ପ୍ରେମ-ପଲଙ୍କ ।୮।

ବରଷା ଗୋ’ ତୁମେ ପ୍ରୀତି ନିର୍ଝରିଣୀ
ଧରଣୀ ଗାତ୍ରେ ଅମୃତ ,
ସବୁଜ ବନାନୀ ଫଳ-ପୁଷ୍ପେ ତବ
ମାଧୁର୍ଯ୍ୟ-ରୂପ ଝଙ୍କୃତ ।୯।

ବରଷା ଗୋ’ ତୁମେ ଶ୍ରାବଣ ସୁନ୍ଦରୀ
ଛନଛନ ଗଛ-ପତ୍ର ,
ନଈବଢ଼ି ଦୃଶ୍ୟେ ଧରା ଜଳମଗ୍ନେ
ଜଳକ୍ରୀଡ଼ା ଯେ’ ବିଚିତ୍ର ।୧୦।

ବରଷା ଗୋ’ ତୁମେ ଅଭିସାରିକା ଯେ’
ସକଳେ ସାଖ୍ଯ ବିନ୍ଯାସ ,
ଚାରୁଚିତ୍ରପଟେ ସଙ୍ଗମ ବିଭଙ୍ଗେ
ଭାଦ୍ରବେ ଭାବ ଉଦାସ ।୧୧।

ବରଷା ଗୋ’ ତୁମେ ଅଶିଣ ହରିଣୀ
କସ୍ତୁରୀ ବାସ ପାର୍ବଣ ,
ବୈରାଗିଣୀ ପ୍ରାଣେ ସହାସ୍ଯ ବଦନେ
ସାଗରେ ଶୁଦ୍ଧ ନିର୍ବାଣ ।୧୨।

ବରଷା ଗୋ’ ତୁମେ ଚତୁର୍ମାସୀ ପର୍ବ
ଅଜାଡ଼ ପ୍ରେମ-ପୀୟୂଷ ,
ରୂପ-ଗୁଣଗ୍ରାମ ବର୍ଣ୍ଣନେ ଅସାଧ୍ୟ
କବି ଶମ୍ଭୁନାଥ ଦାସ ।୧୩।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *