ଉତ୍କଳ ବିଶ୍ୱବିଦ୍ୟାଳୟ


କର୍ପୂର ଉଡ଼ିଛି କନା ପଡ଼ିଅଛି
ରତ୍ନଗିରି ଉତ୍କଳର,
ଯାହା ପୁଷ୍ପଗିରି ବିଶ୍ଵବିଦ୍ୟାଳୟ
ଖ୍ରୀଷ୍ଟପୂର୍ବ କଳିଙ୍ଗର ।

ତାମିଲନାଡୁରେ ତକ୍ଷଶିଳା ଆଉ
ନାଳନ୍ଦା ବିହାର ରାଜ୍ଯ,
ବିଶ୍ବବିଦ୍ୟାଳୟେ ବୌଦ୍ଧ ଶିଷ୍ଯଗଣେ
ବୌଦ୍ଧିକ ଜ୍ଞାନେ ନିର୍ବ୍ଯାଜ ।

ଅନ୍ଧକାରେ ଅନ୍ଧ ବାଡ଼ିକୁ ବୁଲେଇ
ପ୍ରାପ୍ତେ ଅପ୍ରାପ୍ତେ ଅଶ୍ରୁଳ,
ସ୍ବତନ୍ତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ବର ଅଞ୍ଚଳ ।

ସ୍ବତନ୍ତ୍ର ଉତ୍କଳେ ବିଶ୍ବବିଦ୍ୟାଳୟ
ବିହୁନରେ ଅସ୍ତବ୍ୟସ୍ତ,
ସାତବର୍ଷ ପରେ ଶିକ୍ଷାମନ୍ତ୍ରୀ ସୃଜ୍ଯ
ପଣ୍ଡିତ ଗୋଦାବରୀଶ ।

ଊନବିଂଶ ତେୟା – ଳିଶ ନଭେମ୍ବର
ସତେଇଶ ସ୍ବୀକୃତିର,
ଉତ୍କଳେ ଉତ୍କଳ ବିଶ୍ୱବିଦ୍ୟାଳୟ
ଜମି ଚାରିଶ’ ଏକର ।

ରେଭେନ୍ସା କଲେଜ ଅଭିଜ୍ଞ ଅଧ୍ୟକ୍ଷ
ଯେ’ ପରିଜା ପ୍ରାଣକୃଷ୍ଣ,
କୁଳପତି ଭାବେ ଦାୟିତ୍ବ ନିର୍ବାହେ
ପ୍ରଥମ ଓ ସର୍ବାଧିକ ।

ବିଭାଗୀୟ ପାଠ୍ଯ ଶୁଭାରମ୍ଭ ସନ
ଊନବିଂଶ ତେୟାଳିଶ,
ଅଟ୍ଟାଳିକା କ୍ରମା- ନ୍ବୟରେ ନିର୍ମାଣ
ରୂପରେଖୀୟ ଭବିଷ୍ୟ ।

ଊନବିଂଶ ଅଠା- ବନ ଜାନୁଆରୀ
ଏକରେ ଭିତ୍ତିପ୍ରସ୍ତର,
ସ୍ବୟଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ
ପାଠାନୁଗ୍ରହେ ତତ୍ପର ।

ପାଞ୍ଚ ବର୍ଷାନ୍ତରେ ଉଦ୍ଘାଟନ ପର୍ବେ
ସର୍ବପଲ୍ଲୀ ରାଧାକ୍ରିଷ୍ଣ ,
ସୁଉଚ୍ଚାଟାଳିକା ପାଠ୍ଯ ପ୍ରାଚୁର୍ଯ୍ୟତା
ସୁରମ୍ଯ ଦୃଶ୍ଯେ ମୋହିତ ।

ବିଶ୍ବନାଥ ଦାଶ ନୀଳକଣ୍ଠ ଦାସ
ମହାରାଜା କୃଷ୍ଣଚନ୍ଦ୍ର,
ଯାହାଙ୍କ ଉତ୍କଳ ବିଶ୍ୱବିଦ୍ୟାଳୟ
ମାନସ ପୁତ୍ର ସୁନନ୍ଦ ।

ରାଜ୍ୟ ରାଜ୍ଯପାଳ କୁଳାଧିପତି ଯେ’
କୁଳପତି ଜ୍ଞାନାଧୀଶ,
ଶିକ୍ଷା ସ୍ନାତକଠୁ ସ୍ନାତକୋତ୍ତର ଯେ’
ସର୍ବ ବିଭାଗେ ବିଶେଷ ।

କଳା ବିଜ୍ଞାନ ଓ ବାଣିଜ୍ଯ ସହିତ
ପ୍ରବନ୍ଧନ ଅଧ୍ୟୟନ,
ସାମ୍ବାଦିକତା ଓ ଆଇନ ସହିତ
ସବିଶେଷ ଗବେଷଣ ।

ଯେ’ ପାଞ୍ଚ ହଜାର ବିଦ୍ୟାର୍ଥୀ ପୋଷିତ
ନିଜସ୍ବ ବକ୍ଷେ ଧାରଣ,
ତିନି ଶ’ ପଚାଶ ମହାବିଦ୍ୟାଳୟ
କାର୍ଯ୍ୟଭାର ନିୟନ୍ତ୍ରଣ ।

ସକଳ ବିଦ୍ୟାର୍ଥୀ ସାଫଲ୍ଯ ଅର୍ଜନେ
ଦେଶ-ବିଦେଶେ ବିଖ୍ୟାତ,
ଡାକ୍ତର ଓକିଲ ବୈଜ୍ଞାନିକ ଅବା
ରାଜନୀତିଜ୍ଞ ପ୍ରଖ୍ୟାତ ।

ବିଭାଗୀୟ ପତ୍ର – ପତ୍ରିକା ମୁଦ୍ରିତ
ବାଣୀପ୍ରଜ୍ଞା ଯେ’ ସାହିତ୍ଯ,
ସ୍ମରଣେ ପରିଜା ପାଠାଗାର ବିଶ୍ବ-
ବିଦ୍ୟାଳୟ ଅନ୍ତର୍ଭୁକ୍ତ ।

ଆରାଧ୍ଯ ଦେବତା ପ୍ରଭୁ ଜଗନ୍ନାଥ
ମନ୍ଦିର ଶୋଭେ ପ୍ରାଙ୍ଗଣ,
ସାଇ ମନ୍ଦିର ଓ ଦେବୀ ସରସ୍ଵତୀ
ଯଥାବିଧିରେ ପୂଜନ ।

ଭାବ-ଭକ୍ତିମୟ ଶିବ-ମନ୍ଦିର ଓ
ତାଳପଦେଶ୍ବରୀ ମାତ,
ଘଣ୍ଟ-ଘଣ୍ଟା ଧ୍ବନି ସୌରଭିତ ସାଂଧ୍ଯ
ଆରାଧନେ ଛାତ୍ରୀ-ଛାତ୍ର ।

ସୁଦୃଶ୍ୟ ଫାଟକ ବାଣୀ ବିରାଜିତ
ପ୍ରବେଶ ପଥ ସ୍ବାଗତ,
ସବୁଜ ତୃଣୀୟ ଗାଲିଚା ଆମୋଦ
ଚିତ୍ତାକର୍ଷକ ସ୍ବତନ୍ତ୍ର ।

ଉତ୍କଳଜନନୀ ପୁଣ୍ଯ ରାଜଧାନୀ
ବନ୍ଦାପନ ମୁଖପତ୍ର,
ଉତ୍କଳ-ଭାରତେ ଗୌରବ ସୌରଭ
ବିଚ୍ଛୁରିତ ଜ୍ଞାନାମୃତ ।

ଭୁବନେଶ୍ବରସ୍ଥ ବାଣୀବିହାର ଯେ’
ଜ୍ଞାନଭଣ୍ଡାରୀୟ ସ୍ଥାନ,
ପରିସ୍ଥିତି ସଦା ନରମ ଗରମ
ପରିବେଶ କୁଞ୍ଜବନ ।

ଦିବସୀୟ କାର୍ଯ୍ୟ ପାଠ୍ଯ କୋଳାହଳ
ସୂର୍ଯ୍ୟାସ୍ତେ ଝାଉଁ ପବନ,
ସଂଧ୍ୟାରୁ ଗଭୀର ରଜନୀ ଜ୍ୟୋତ୍ସ୍ନାରେ
ପ୍ରେମ ମକରନ୍ଦ ପାନ ।

ଆମ୍ର ଓ କଦମ୍ବ ଯୂଇ ଜାଇ ମଲ୍ଲୀ
ରୋମାଞ୍ଚ-ପୁଷ୍ପ ସୁବାସ,
ସାଂଧ୍ଯ-ଭ୍ରମଣରେ ଆଘ୍ରାଣେ ବିମୁଗ୍ଧ
କବି ଶମ୍ଭୁନାଥ ଦାସ ।🌹

ଶମ୍ଭୁନାଥ ଦାସ
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର

Leave a Reply

Your email address will not be published. Required fields are marked *